ରାଜ୍ୟରେ ଢ଼େଉ ଭଳି ଉପର ତଳ ହେଉଛି କରୋନା । ୨୪ ଘଂଟାରେ ୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ।

141

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ଉପରକୁ ଉଠିବାରେ ଲାଗିଛି । ଗତ ୮ ଦିନ ଧରି ରାଜ୍ୟରେ ୬ ହଜାର ଉପରେ ରହିଛି ସଂକ୍ରମଣ । ଏପ୍ରିଲ ୨୧ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ୬ ହଜାରରୁ ସାଢ଼େ ୬ ହଜାର ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ୨୭ ତାରିଖରେ ରାଜ୍ୟରୁ ୮୩୮୬ ନୂଆ ମାମଲା ସାମନାକୁ ଆସିଥିଲା । ଯାହାର ଟେଷ୍ଟ-ପଜିଟିଭିଟି ହାର ରହିଥିଲା ପାଖାପାଖି ୨୦ ପ୍ରତିଶତ । ଅନ୍ୟପଟେ ଗତ ୨୪ ଘଂଟା ଭିତରେ ୪୪ ହଜାର ୬୪ କରୋନା ପରୀକ୍ଷା ହୋଇଥିବା ବେଳେ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଟେଷ୍ଟ-ପଜିଟିଭିଟି ହାର ରହିଛି ୧୫.୮୮ ପ୍ରତିଶତ ।

         ତାରିଖ       ଟେଷ୍ଟ      ପଜିଟିଭ୍

  • ଏପ୍ରିଲ ୨୧ : ୪୨,୯୮୩ – ୬,୧୬୪
  • ଏପ୍ରିଲ ୨୨ : ୪୩, ୫୩୮ – ୬,୨୧୫
  • ଏପ୍ରିଲ ୨୩ : ୪୧,୦୧୭ – ୬,୬୪୭
  • ଏପ୍ରିଲ ୨୪ : ୪୩,୭୬୫ – ୬,୧୧୬
  • ଏପ୍ରିଲ ୨୫ : ୩୯,୬୪୨ – ୬,୫୯୯
  • ଏପ୍ରିଲ ୨୬ : ୩୬,୮୪୫ – ୬,୦୭୩
  • ଏପ୍ରିଲ ୨୭ : ୪୨,୪୦୧ – ୮,୩୮୬
  • ଏପ୍ରିଲ ୨୮: ୪୪,୦୬୪ – ୬,୯୯୮

ଏପଟେ ଡିଏମଇଟି କହିଛନ୍ତି, ରାଜ୍ୟରେ ଫ୍ଲାଟେନିଂ ସ୍ଥିତିରେ ରହିଛି ସଂକ୍ରମଣର ସ୍ଥିତି । ଢେଉ ଭଳି ରହୁଛି ସଂକ୍ରମଣ । କେତେବେଳେ ଉପରକୁ ଉଠୁଛି, କେତେବେଳେ ଟିକେ ତଳକୁ ଖସୁଛି । ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କଂଟାକ୍ଟ ଟ୍ରେସିଂ ଯୋଗୁଁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ସଟଡାଉନ ଓ ଲକଡାଉନ ଭଳି କଟକଣା ଲାଗୁ କରିବାର ଆବଶ୍ୟକତା ନାହିଁ । ସ୍ଥାନୀୟ ଗହଳି ଅଂଚଳକୁ ଅଧିକ ପ୍ରାଥମିକତା ଦିଆଯାଉଛି ।

ତେବେ ଟିକା ଅଭାବରୁ ୧୨ଟି ଜିଲ୍ଲାରେ ଆଜି ବନ୍ଦ ରହିଥିଲା ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଟିକା କଂପାନୀମାନେ ଏପର୍ଯ୍ୟନ୍ତ ଟିକା ଯୋଗାଣ ନେଇ କୌଣସି ଉତ୍ତର ଦେଇନାହାନ୍ତି । ଆସନ୍ତାକାଲି ଯଦି ଟିକା ଆସେ, ରାଜ୍ୟରେ ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇପାରିବ ।