କଟକର କୋଭିଡ୍ ରିପୋର୍ଟ ଦେଲେ ସିଏମସି କମିଶନର । ଏସସିବିରେ ଆଉ ୧୦୦ ବେଡ୍ ଉପଲବ୍ଧ କରାଇବାକୁ ପ୍ରୟାସ । ଜାରି ହେଲେ କୋଭିଡ୍ କଣ୍ଟ୍ରୋଲ ରୁମ୍ ନମ୍ବର ।

142

କନକ ବ୍ୟୁରୋ: କଟକରେ କେମିତି ଚାଲିଛି କରୋନା ମୁକାବିଲା? ମହାନଗରରେ କରୋନା ସଂକ୍ରମଣ କମାଇବାକୁ ପ୍ରଶାସନ କି କି ପଦକ୍ଷେପ ନେଇଛି ସେନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକରେ ଏବେ ୩୬୮୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେ ଭିତରୁ ପାଖାପାଖି ୮୮ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ଉପରେ ସ୍ପେଶାଲ୍ ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛି । ତା ସହ କୋଭିଡ୍ କେୟାର ସେଣ୍ଟରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ଉପଲବ୍ଧ ଅଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ କଟକରେ ଆଇସିୟୁ ବେଡ୍ ଚାପ କମାଇବାକୁ ଏସସିବି ହସ୍ପିଟାଲର କ୍ଷମତା ବଢାଯିବ । ଏସସିବିରେ ଆଉ ୧୦୦ ବେଡ୍ ଉପଲବ୍ଧ କରାଇବାକୁ ସିଏମସି କମିସନର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏଥିରେ ୪୧ ଆଇସିୟୁ ଓ ୪୦ଟି ଏଚଡିୟୁ ରହିବ ବୋଲି ସୂଚନା ମିଳିଛି । ତେବେ ଏସସିବିର କ୍ଷମତା ବୃଦ୍ଧି ହେଲେ ଅନ୍ୟ ଜିଲ୍ଲାର ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ଅନନ୍ୟା ଦାସ କହିଛନ୍ତି । ସେହିପରି ଆକ୍ରାନ୍ତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କଟକ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି । ୭୦୭୭୭୭୫୫୫୫ ଏବଂ ୧୮୦୦-୩୪୫୮୨୮୯କୁ ଡାଏଲ୍ କରି ଲୋକମାନେ କଟକରେ ରୋଗୀଙ୍କ ସ୍ଥାନାନ୍ତର ସମ୍ବନ୍ଧୀୟ ସମସ୍ତ କଥା ଜାଣିପାରିବେ ।

ସବୁ ପରେ ଲୋକମାନେ ଲକଡାଉନ୍ ଓ କୋଭିଡ୍ ନିୟମ ପାଳନ କରନ୍ତୁ । ଲକଡାଉନ୍ ଓ ନିୟମ ପାଳନ ନକଲେ ସଂକ୍ରମଣକୁ କମାଇ ହେବ ନାହିଁ । ମାର୍କେଟରୁ ପରିବା କିଣିବାକୁ ହେଲେ ପାଖ ଦୋକାନକୁ ଯାଇ ପରିବା ଆଣନ୍ତୁ ବୋଲି ଆଜି ଅନନ୍ୟା ଦାସ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।