ଚିନ୍ତା ବଢ଼ାଉଛି ଏମଆଇ ଲକ୍ଷଣ : କୋଭିଡରୁ ସୁସ୍ଥ ପରେ ଶୂନରୁ ୧୦ ବର୍ଷ ପିଲାଙ୍କ ଭିତରେ ବଢ଼ିବା ସମ୍ଭାବନା

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଲକ୍ଷଣ ଦେଖାଦେବା ମାତ୍ରେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

555

କନକ ବ୍ୟୁରୋ : ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତ ପିଲାଙ୍କଠାରେ କରୋନା ଲକ୍ଷଣ ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ବାକି ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ରହୁଛି । ସେହି ୫ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ଭିତରୁ ୩ ପ୍ରତିଶତ ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି । ୨ ପ୍ରତିଶତଙ୍କୁ ଆଇସିୟୁ ଦରକାର ପଡୁଛି। ଏହି ସବୁ ଭିତରେ ବହୁତ କମ ପିଲାଙ୍କୁ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ହୋଇପାରେ । ଏହା କୋଭିଡରୁ ସୁସ୍ଥ ହୋଇଥିବାର ୪ରୁ ୬ ସପ୍ତାହ ଭିତରେ ପିଲାଙ୍କ ଭିତରେ ଦେଖାଯାଇଥାଏ । ପିଲାଙ୍କ ପ୍ରତିଷେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏହା ହୁଏ ।

ମଲ୍ଟି ସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହେଲେ ଆଖି, ପାଟି, ପାଦ ଲାଲ ପଡ଼ିଯିବ । ପତଳା ଝାଡ଼ା, ବାନ୍ତି ଓ ପେଟ ଯନ୍ତ୍ରଣା ବି ହେବ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ସଂକ୍ରମିତ ହୋଇଯିବ । ଯେଉଁଥିପାଇଁ ଶରୀରରେ ମଲ୍ଟି ସିଷ୍ଟମ୍ ଫେଲଅର୍ ହୋଇ ଶିଶୁ ଗୁରୁତର ହେବ । ଚିକିତ୍ସା ଭାବେ ଅକ୍ସିଜେନ, ଆଇଭି ଫ୍ଲୁଇଡ୍ , ସପୋର୍ଟିଭ୍ ଥେରାପି ଦିଆଯିବ। ଆବଶ୍ୟକ ପଡ଼ିଲେ ଦାମୀ ହାଏ ଡୋଜ ଷ୍ଟିରଏଡ୍ ଦିଆଯିବ, ଯାହା ମହଜୁଦ ଅଛି। ଏହାପରେ ଆମେ ତାକୁ ନିରୀକ୍ଷଣ କରିବୁ । ୨୪ ଘଣ୍ଟାରେ ଠିକ୍ ନ ହେଲେ ପୁଣି ଚିକିତ୍ସା କରାଯିବ । ଏ ଦିଗରେ ଶିଶୁ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆସରିଛି । ପ୍ରାୟ ୧୨ରୁ ୧୫ ପ୍ରତିଶତ ପିଲା କୋଭିଡ ସଂକ୍ରମିତ ହେଉଛନ୍ତି । ମାତ୍ର ୦.୨ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରେ କିଛି ଶିଶୁଙ୍କ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ଦେଖାଯାଇଥିଲା, ହେଲେ ଏବେ ସବୁ ଠିକ୍ ଅଛି ।

ସେପଟେ, ପିଲାଙ୍କୁ କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । କୋଭିଡ ସଂକ୍ରମଣ ଏକମାସ ପରେ ଶୂନ ରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସାଇନଡ୍ରମର ସମ୍ଭାବନା ବଢ଼ି ଯାଉଛି । ପ୍ରଥମ ଲହରିରେ ଏହା ଚିହ୍ନଟ ହୋଇନଥିଲା । ହେଲେ ଦ୍ୱିତୀୟ ଲହରରେ ବହୁତ ପିଲା ଏହି ଲକ୍ଷଣ ଥାଇ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି । ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ହେଲେ ମୃତ୍ୟୁ ହାର କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।