କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ମଧ୍ୟ ଗତ ବର୍ଷ ଅପେକ୍ଷା ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହାସହ ସେ କହିଛନ୍ତି ଓଡ଼ିଶା ଭାଗ୍ୟବାନ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ବେଡ, ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଥିବା କୁହାଯାଇଛି । ୭୧ଟି କୋଭିଡ ହସ୍ପିଟାଲ ରାଜ୍ୟରେ ଥିବା ବେଳେ ୩୧ଟି ଚାଲିଛି । ୨୬ ପ୍ରତିଶତ ବେଡ, ୧୪ ଦଶମିକ ୧୮ ପ୍ରତିଶତ ଆଇସିୟୁ, ୧୦ ପ୍ରତିଶତ ଭେଟିଂଲେଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

Advertisment

ଅନ୍ୟପଟେ ଆଜି ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗଛି କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହା ପୂର୍ବବର୍ତୀ ୨୪ ଘଂଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା ସେହିପରି ଗତ ୨୪ ଘଂଟା ମଧ୍ୟରେ ୧ ହଜାର୭୪୦ ଜଣ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୨୭ରେ ପହଂଚିଛି । ଆଜିଯାଏଁ ରାଜ୍ୟରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୯୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ସରକାର କହିଥିଲେ ୭ଟି ଜିଲ୍ଲାରୁ ମୋଟ୍ ୬୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।