କନକ ବ୍ୟୁରୋ: କରୋନା ମାରିଲା ଲମ୍ବା ଡିଆଁ । ପ୍ରଥମ ଲହର ସଂକ୍ରମଣକୁ ଟପିଯାଇଛି ଦ୍ୱିତୀୟ ଲହର ସଂକ୍ରମଣ । ରାଜ୍ୟରେ ସର୍ବକାଳୀନ ନୂଆ ରେକର୍ଡ କଲା ଦୈନିକ ସଂକ୍ରମଣ । ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ରାଜ୍ୟରେ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଠିକ୍ ୮ମାସ ପରେ ଭାଙ୍ଗିଛି ସେହି ରେକର୍ଡ । ୨୪ ଘଂଟା ଭିତରେ ରାଜ୍ୟରେ ୪ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହେବା ସହ ୪ ଜଣଙ୍କ ଜୀବନ ନେଇଛି କରୋନା । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା ରହିଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଏବେ ଓଡିଶାର ସ୍ଥିତି ଅପେକ୍ଷାକୃତ ଭଲରେ ଥିଲେ ମଧ୍ୟ ସଂକ୍ରମଣ ବଢୁଥିବାରୁ ସିଧା ସଳଖ ଚାପ ପଡୁଛି ହସ୍ପିଟାଲ ଉପରେ । ଏପରିକି ଶଯ୍ୟା ଓ ଆଇସିୟୁ ଅଭାବ ନେଇ ଅଭିଯୋଗ ଆସିବାରେ ଲାଗିଛି । ତେବେ ସରକାରୀ ତଥ୍ୟ ଅନୁସାର ରାଜ୍ୟରେ – କୋଭିଡ ରୋଗୀଙ୍କ ପାଇଁ ରହିଛି ମୋଟ ୯,୦୦୮ ବେଡ୍ ରହିଛି । ଘରୋଇ ହସ୍ପିଟାଲରେ ୪୬୪୦ ଶଯ୍ୟା ଓ ସରକାରୀ ହସ୍ପିଟାଲରେ ରହିଛି ୪,୩୬୮ ଶଯ୍ୟା । ସମୁଦାୟ ୧,୫୭୬ ରୋଗୀ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ସରକାରୀ ହସ୍ପିଟାଲରେ ୮୨୩ ଆକ୍ରାନ୍ତ ଭର୍ତି ହୋଇଛନ୍ତି । ଯାହା ମୋଟ ମୋଟ ବେଡ୍ ସଂଖ୍ୟାର ୧୭.୫୦ % ।
ସେହିପରି କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟରେ ମୋଟ ୨ହଜାର ୧୮ ଆଇସିୟୁ ବେଡ୍ ରହିଛି । ଘରୋଇ ଓ ସରକାରୀ ହସ୍ପିଟାଲର ୪୨୪ ଆଇସିୟୁ ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି । ଘରୋଇ ହସ୍ପିଟାଲର ୧୪୯୪ ଆଇସିୟୁ ବେଡ୍ ମଧ୍ୟରୁ ୩୨୦ ବେଡରେ ରୋଗୀ ଅଛନ୍ତି ଏବଂ ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ବେଡ ଥିବାବେଳେ ୧୦୪ ରୋଗୀ ଭର୍ତି ହୋଇଛନ୍ତି ।
ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଥିବା ମୋଟ ଆଇସିୟୁ ବେଡ୍ରୁ ୨୧.୧ ପ୍ରତିଶତ ଆଇସିୟୁ ବେଡରେ ରୋଗୀ ଆଡମିଟ୍ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ମୋଟ ୭୮୨ ଭେଂଟିଲେଟର ରହିଛି । ହେଲେ କେବଳ ୫୯ ରୋଗୀଙ୍କୁ ଭେଂଟିଲେଟର ଲାଗିଛି । ଯାହା ମୋଟ ଭେଂଟିଲେଟର ତୁଳନାରେ ମାତ୍ର ୭.୫୪ ପ୍ରତିଶତ । ଘରୋଇ ହସ୍ପିଟାଲରେ ୬୦୩ ଭେଂଟିଲେଟର ଥିବାବେଳେ ୪୧ ଜଣ ରୋଗୀଙ୍କୁ ଭେଂଟିଲେଟରରେ ରଖାଯାଇଛି । ସରକାରୀ ହସ୍ପିଟାଲରେ ୧୭୯ ଭେଂଟିଲେଟର ରହିଥିବାବେଳେ ୧୮ ଜଣଙ୍କୁ ଭେଂଟିଲେଟର ଲାଗିଛି ।
ସେପଟେ ଦେଶରେ ମଧ୍ୟ ପ୍ରଥମ ଲହରର ଦୈନିକ ସଂକ୍ରମଣର ପ୍ରାୟ ତିନି ଗୁଣା ଆକ୍ରାନ୍ତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ପ୍ରଥମ ଲହରରେ ଗୋଟିଏ ଦିନରେ ୯୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ୨୪ ଘଂଟାରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଯାହା ଦେଶକୁ କରୋନା ଆସିବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ।