କାଲି କରୋନାରେ ସଂକ୍ରମିତ ହେଲେ, ଆଜି ବାହାରେ ବୁଲିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଉଠିଲା ପ୍ରଶ୍ନ, ନେତାଙ୍କ ପାଇଁ ଅଲଗା କି ନିୟମ ?

368

କନକ ବ୍ୟୁରୋ : ରାଜଧାନୀର ଲୋକସେବା ଭବନ ନିକଟରେ ଆଜି ହଠାତ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ଯେ, ସୁର କରୋନା ପଜିଟିଭ ଅଛନ୍ତି । ଆଉ ହଠାତ ଗୋଟିଏ ଦିନ ପରେ ସୁର ସିଧା ବାହାରେ ବୁଲିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏ ବିଷୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା, ସେ କହିଥିଲେ ଯେ, ଲକ୍ଷେ ୨୨ହଜାର ଟଙ୍କାର ତାଙ୍କୁ ଇଞ୍ଜେକସନ ଦିଆଯାଇଛି ।

ଚର୍ଚ୍ଚିତ ଜଟଣି ବିଧାୟକ ସୁର ରାଉତରାୟ । ମୁଣ୍ଡରେ ଧଳା ଗାମୁଛା ବାନ୍ଧି, ଜୟଦେବ ଭବନ ନିକଟରେ ସୁର ରାଉତରାୟ ବସିବା କିଛି ନୂଆ କଥା ନୁହେଁ, କିନ୍ତୁ ଦିନକ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି ପଜିଟିଭ ଆସିଛନ୍ତି । କିନ୍ତୁ ପଜିଟିଭ ସତ୍ୱେ ସୁର ବାହାରେ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ସୁରଙ୍କ ଏହି ଗାମୁଛା ଘୋଡା ଭିଜୁଆଲ ଖୁବ ଭାଇରାଲ ହେଉଛି । ବିଏମସି ସାଧାରଣ ଲୋକଙ୍କୁ କରୋନା ନିୟମ ମାନିବା ପାଇଁ କହୁଥିବା ବେଳେ ସୁରଙ୍କୁ କାହିଁକି କୁହାଯାଉ ନାହିଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ପ୍ରକାଶ ପାଇଛି ।

ସମ୍ବିତ ନାମକ ବ୍ୟକ୍ତି ଟ୍ୱିଟରରେ ଲେଖିଛନ୍ତି, ଇଏ ବାହାରେ କଣ ବୁଲୁଛନ୍ତି ? ଅଜବ ଲୋକ ହେ, କହିଲା ବେଳେ ମୁହଁରେ ବ୍ରେକ ଲାଗୁନି, ମୁଁ ହସ୍ପିଟାଲରେ ଥିଲାବେଳେ ତାଙ୍କୁ ଦେଖିଥିଲି ସେଇଠି …

ଆକାଶ ବିଶ୍ୱାଳ ଲେଖିଛନ୍ତି, କ୍ୟାମେରା ପ୍ରେମରେ କରୋନାକୁ ଖାତିର ନାହିଁ ।

ଆଉ କିଛି ସୁର ରାଉତରାୟଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ।

କରୋନା ନିୟମ ଅନୁସାରେ ଜଣେ ସଂକ୍ରମିତ ହେଲା ପରେ ସଙ୍ଗରୋଧରେ ରହିବା ଆବଶ୍ୟକ । ହେଲେ ସୁର ରାଉତରାୟ କାହିଁକି ବାହାରେ ବୁଲୁଛନ୍ତି ତାର ଜବାବ ରଖିଛନ୍ତି ।

ସୁର କହିଛନ୍ତି ସେ ଲକ୍ଷେ ୨୨ ହଜାର ଟଙ୍କାର ଇଞ୍ଜେକସନ ନେଇଛନ୍ତି । ତେଣୁ ତାଙ୍କ ଠାରୁ କରୋନା ବ୍ୟାପିବାର ସମ୍ଭାବନା ନାହିଁ । କିନ୍ତୁ ଏହାର ଗ୍ୟାରେଣ୍ଟି କିଏ ଦେବ ସେ ନେଇ ସୋଶିଆଲ ମିଡିଆରେ ଜଣେ ବ୍ୟକ୍ତି ପ୍ରଶ୍ନ ବି ଉଠାଇଛନ୍ତି । କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ କଂଗ୍ରେସର ଏହି ଫାୟାର ବ୍ରାଣ୍ଡ ନେତା ବର୍ତ୍ତିଯାଇଥିଲେ । କିନ୍ତୁ ଏବେ ସେ ସଂକ୍ରମିତ ହୋଇଛନ୍ତି । ଆଶା କରୁଛୁ ସେ ଓ ତାଙ୍କ ପତ୍ନୀ ଖୁବଶୀଘ୍ର ଆରୋଗ୍ୟ ହେବେ ।