କନକ ବ୍ୟୁରୋ: କଟକ ସ୍ଥାନୀୟ କ୍ୟାନ୍ସର ହସ୍ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରେ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ ବୋଲି ଜଣାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ ଏହି ସୂଚନା ଦେଇଛନ୍ତି । ତେବେ କ୍ୟାନସର ହସ୍ପିଟାଲରେ ଏପର୍ଯ୍ୟନ୍ତ ୫ ଜଣ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୯ରେ ପହଞ୍ଚିଛି । ଗତକାଲି ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ। ହସ୍‌ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ହସ୍‌ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଥିଲେ।

Advertisment

ତେବେ କିଛି ଦିନ ତଳେ ଏଠାରେ ଗଂଜାମ ଜିଲ୍ଲାର ଜଣେ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ଗତକାଲି ଚିହ୍ନଟ ହୋଇଥିବା ୨ ଜଣ କରୋନା ଯୋଦ୍ଧା। କ୍ୟାନ୍‌ସର ହସ୍‌ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫୨ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା । ନମୁନା ରିପୋର୍ଟ ଆସିବା ପରେ ୫୦ ଜଣ ନେଗେଟିଭ ଓ ୨ ଜଣ ପଜିଟିଭ ଥିବା ଜଣାପଡ଼ିଛି। ପଜିଟିଭ ଜଣାପଡ଼ିବା ପରେ ସଂପୃକ୍ତ ୨ ନର୍ସଙ୍କୁ କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।