କନକ ବ୍ୟୁରୋ: ଗତ ମାର୍ଚ୍ଚ ୨୦ତାରିଖରେ ଦେଶରେ ସଂକ୍ରମଣ ୪୦ହଜାର ଟପିଥିବା ବେଳେ ମାର୍ଚ୍ଚ ୨୬ବେଳକୁ ଏହା ୬୦ହଜାର ପାଖରେ ପହଂଚିଛି । ଗତ ୭ଦିନରେ ୩ଲକ୍ଷ ୩୨ହଜାର ୩୨୧ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବି ବଢୁଛି ।

Advertisment
  • ୨୬ ମାର୍ଚ୍ଚ ୫୯,୧୧୮ ସଂକ୍ରମିତ
  • ୨୫ ମାର୍ଚ୍ଚ ୫୩,୪୭୬ ସଂକ୍ରମିତ
  • ୨୪ ମାର୍ଚ୍ଚ ୪୭,୨୬୨ ସଂକ୍ରମିତ
  • ୨୩ ମାର୍ଚ୍ଚ ୪୦,୭୧୫ ସଂକ୍ରମିତ
  • ୨୨ ମାର୍ଚ୍ଚ ୪୬,୯୫୧ ସଂକ୍ରମିତ
  • ୨୧ ମାର୍ଚ୍ଚ ୪୩,୮୪୬ ସଂକ୍ରମିତ
  • ୨୦ ମାର୍ଚ୍ଚ ୪୦,୯୫୩ ସଂକ୍ରମିତ

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୯ ହଜାର ୧୧୮ ମାମଲା ସାମ୍ନାକୁ ଆସିଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୮ଲକ୍ଷ ୪୬ହଜାର ୬୫୧ରେ ପହଂଚିଛି । ଗତ ୨୪ଘଂଟାରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧କୋଟି ୧୨ଲକ୍ଷ ୬୪ହଜାର ୬୩୭ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ୧ଲକ୍ଷ ୬୦ହଜାର ୯୪୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତ ବର୍ଷ ଜୁଲାଇ ୨୯ରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଛୁଇଁଥିଲା । ସେହି ଦିନ ମୃତ୍ୟୁସଂଖ୍ୟା ଥିଲା ୭୭୫ । ଏବେ ପୁଣି ଗତ ଦୁଇ ଦିନ ହେଲା କରୋନା ସଂକ୍ରମଣ ୫୦ହଜାର ଉପରେ ରହୁଛି ।

- ସଂକ୍ରମଣ ବଢୁଥିବା ବେଳେ ଦ୍ୱିତୀୟ ଲହର ନେଇ ଆଶଙ୍କା ବଢୁଛି
- ଦ୍ୱିତୀୟ ଲହର ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି
- ଗତବର୍ଷ ନଭେମ୍ବର ପରେ ଏବେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢୁଛି
- ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରଥମ ଲହର ଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି
- ଗତ ୨୨ ଦିନରେ ପ୍ରତ୍ୟେକ ଦିନ ହାରାହାରି ୪୦ ହଜାର ମାମଲା

ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ ହୋଇଛି । କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ୫ ହଜାର ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣରୁ କେବଳ ମହାରାଷ୍ଟ୍ରରୁ ରହିଛନ୍ତି ୬୦ପ୍ରତିଶତରୁ ଅଧିକ ସଂକ୍ରମିତ । ଗୁଜରାଟ ଓ ପଞ୍ଜାବରେ ବି ଦ୍ରୁତଗତିରେ କରୋନା ସଂକ୍ରମଣ ବଢିଲାଣି ।

କରୋନାକୁ ନିୟନ୍ତ୍ରଣ କରିବା ଲାଗି ଦେଶରେ ଟିକାକରଣ ଚାଲିଛି । ବର୍ତମାନ ସୁଦ୍ଧା ୫ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି । ଗୋଟିଏ ପଟେ ଦେଶରେ କରୋନା ଟିକାକରଣ କରାଯାଉଥିବା ବେଳେ ଅନ୍ୟପଟେ ବଢୁଥିବା ସଂକ୍ରମଣ ଦେଶରେ ଦ୍ୱିତୀୟ ଲହର ଆଶଙ୍କାକୁ ବଢାଇ ଦେଇଛି । ଫଳରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ।