ଆସନ୍ତାକାଲି ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ । କ୍ରୀଡା ମହାକୁମ୍ଭରେ କରୋନା ଭୟ । ୬୪ ଜଣ ସଂକ୍ରମିତ ସୂଚନା ।

103

କନକ ବ୍ୟୁରୋ: ଶୁକ୍ରବାରଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ୨୦୨୦ ରେ ଆୟୋଜିତ ହେବାପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଏବେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାରଠାରୁ ଜାପାନର ରାଜଧାନୀ ଟୋକିଓରେ ବିଭିନ୍ନ ମହାଦେଶର କ୍ରୀଡା ପ୍ରତିଭା ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା ପାଇଁ ପରସ୍ପରର ମୁକାବିଲା କରିବେ । କିନ୍ତୁ ମହାକୁମ୍ଭରେ ମହାମାରୀ ସାଜିଛି ସବୁଠୁ ବଡ ଅନ୍ତରାୟ । ଏବେ ପର୍ଯ୍ୟନ୍ତ ଖେଳାଳୀ ଓ ସହଯୋଗୀଙ୍କୁ ମିଶାଇ ପାଖାପାଖି ୭୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ତେବେ ଦେଶ ବିଦେଶର ଅନେକ ଖେଳାଳୀ ସେଠାରେ ପହଞ୍ଚିଥିବାରୁ ଜାପାନ ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ୧୩୭ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ସମ୍ଭାବ୍ୟ ପଦକ ବିଜେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଜନସଂଖ୍ୟା ଓ ବିଶାଳତା ଦୃଷ୍ଟିରୁ ବିଚାର କଲେ ଭାରତର ଅଲିମ୍ପିକ୍ସ ଇତିହାସ ଏତେ ସମୃଦ୍ଧ ନୁହେଁ । ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସଠାରୁ ଏଯାଏଁ ଭାରତ ମାତ୍ର ୨୮ଟି ପଦକ ଜିତିବାରେ ସମର୍ଥ ହୋଇଛି ।