ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା । ପୁରୀ ଶ୍ରୀମନ୍ଦିରରେ ୨୩ଜଣ ସଂକ୍ରମିତ ଚିହ୍ନଟ । ସେପଟେ ଗଞ୍ଜାମରେ ବନ୍ଦ ହେଲା ସବୁ ମନ୍ଦିର ।

165

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନକୁ ବ୍ୟାପିଛି କରୋନା । ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୭ଜଣ ସେବାୟତ ଓ ସେମାନଙ୍କ ପରିବାର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଛି । ତା ସହ ଜୋତା ଷ୍ଟାଣ୍ଡର ୮ଜଣ, ଶ୍ରୀମନ୍ଦିର ପ୍ରଶାସନ ୩ କର୍ମଚାରୀ, ଜଣେ ଜଗନ୍ନାଥ ଟେମ୍ପଲ ପୋଲିସ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ୧୦ ଦିନ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇ କଂଟାକ୍ଟ ଟ୍ରେସିଂ କରୁଛି ପ୍ରଶାସନ ।

ସେପଟେ ଗଂଜାମର ମା ବୁଢୀ ଠାକୁରାଣୀଙ୍କ ପୀଠ ଦେଶୀ ବେହେରା ସାହିରେ ଲାଗିଛି ୧୪୪ ଧାରା । ମା ବୁଢୀ ଠାକୁରାଣୀଙ୍କ ୨ ଜଣ ପୂଜକ ପଜିଟିଭ ଚିହ୍ନଟ ପରେ ସଂକ୍ରମଣ ଭୟରେ କଡା କଟକଣା ଲାଗୁ କରାଯାଇଛି । ସେହିପରି ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ଗ୍ରାଉଣ୍ଡ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ବୁଧବାର ହନୁମାନ ଜୟନ୍ତୀ, ମେରୁ ଯାତ୍ରା, ପଣା ସଂକ୍ରାନ୍ତି ଥିବାରୁ ଗହଳି ହେବା ସମ୍ଭାବନାକୁ ଆଖିରେ ରଖି ଏହି ନିଷ୍ପତି ନିଆଯାଇଛି । ଅନ୍ୟପଟେ ୨୪ ଘଂଟାରେ ଜିଲ୍ଲାରୁ ୮୦ ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ବିଶେଷକରି ପଶ୍ଚିମ ଓଡିଶାରେ ସଂକ୍ରମଣ ଉପର ମୁହାଁ ହୋଇଛି । ପ୍ରଥମ ଥର ପାଇଁ ନୂଆପଡାରେ ରାଜ୍ୟରେ ସର୍ବାଧିକ ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧା ଜିଲ୍ଲାରୁ ୨୦୧ ଓ ସମ୍ବଲପୁରରୁ ୧୧୪ ପଜିଟିଭ ମାମଲା ଆସିଛି । ଦିନକରେ ରାଜ୍ୟରେ ୧୭୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ପଶ୍ଚିମ ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ଲଗାତାର ୩ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବା ୨୪ଘଂଟାରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ସେପଟେ କୋଭିଡ ମୁକାବିଲା ପାଇଁ ଜିଲ୍ଲାରେ କଡାକଡି କଟକଣା ଲାଗୁ କରାଯିବା ସହ ଚିକିତ୍ସା ପାଇଁ ୪ଟି ହସପିଟାଲରେ ୫୦୦ ରୁ ଅଧିକ ଶଯ୍ୟା ଓ ୬୦ରୁ ଅଧିକ ଭେନଟିଲେଟର ବ୍ୟବସ୍ଥା କରାଯାଇଛି ।