କନକ ବ୍ୟୁରୋ: ଗୁରୁତର କରୋନା ରୋଗୀଙ୍କୁ ବାହାର ଜିଲ୍ଲାରୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର-କଟକ ଆଣିବାକୁ ସରକାର ମନା କରିନାହାଁନ୍ତି । ଏହା ଉପରେ କୌଣସି ରୋକ ନାହିଁ । ଟ୍ୱିନସିଟିରେ ଅତ୍ୟାଧୁନିକ କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଛି ।
ଯେଉଁଠି ସାରା ରାଜ୍ୟରୁ ଗୁରୁତର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ରହିଛି । ଡାକ୍ତରଙ୍କ ପରାମର୍ଶରେ ରୋଗୀ ଯେମିତି ଉନ୍ନତ ବ୍ୟବସ୍ଥା , ଅମ୍ଳଜାନ ସୁବିଧା ଏବଂ ସୁରକ୍ଷିତ ଭାବେ ସ୍ଥାନାନ୍ତର ହୋଇପାରିବେ, ତାଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ରୋଗୀ ଗୁରୁତର ଥିବା ବେଳେ ସମ୍ପର୍କୀୟ ମାନେ ବିନା ଅମ୍ଲଜାନରେ ଏବଂ ଉନ୍ନତ ବ୍ୟବସ୍ଥା ନକରି ସ୍ଥାନାନ୍ତର କରୁଥିବାରୁ ପୂର୍ବରୁ ଅନେକ ଅଘଟଣ ଘଟିଛି । ତେଣୁ ସରକାର ଏବେ ଏହା ଉପରେ ଜୋର ଦେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।
ଆବଶ୍ୟକ ସ୍ଥଳେ ଗୁରୁତର କରୋନା ରୋଗୀଙ୍କୁ କଟକ ଭୁବନେଶ୍ୱର ଅଣାଯିବା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲା କଂଗ୍ରେସ । ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ ଏପରି ନିଷ୍ପତି ନିଆଯିବା ଅନୁଚିତ୍ । ବିରୋଧୀ ଦଳ ନେତା କହିଛନ୍ତି ସରକାରଙ୍କ ଏଭଳି ନିଷ୍ପତି ନିନ୍ଦନୀୟ । ସେପଟେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଭୁବନେଶ୍ୱର-କଟକକୁ ରୋଗୀଙ୍କୁ ନଆଣିବାକୁ କୁହାଯାଇଛି ।