ରାଜ୍ୟରେ ଦ୍ରୁତ ସଂକ୍ରମଣ ସତ୍ତ୍ୱେ ଆଶ୍ୱସ୍ତିକର ଖବର : ହସ୍ପିଟାଲରେ ରହିଛନ୍ତି ମାତ୍ର ୮% ରୋଗୀ

142

କନକ ବ୍ୟୁରୋ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆସିଛି ଆଶ୍ୱସ୍ତିିକର ଖବର । ରାଜ୍ୟରେ ମାତ୍ର ୮ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାର ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୮ ହଜାର ୩୦୧ କୋଭିଡ୍ ବେଡ୍ ରହିଛି । କିନ୍ତୁ ମାତ୍ର ୬୫୩ ଆକ୍ରାନ୍ତ ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ହସ୍ପିଟାଲରେ ଭର୍ତି ହାର ମାତ୍ର ୭ ଦଶମିକ ୮୭ ପ୍ରତିଶତ ।

ସେହିପରି ରାଜ୍ୟରେ କୋଭିଡ୍ ହସ୍ପିଟାଲର ଆଇସିୟୁ ଓ ଏଚଡିୟୁକୁ ମିଶାଇ ମୋଟ୍ ୨୮୧୬ଟି ବେଡ୍ ରହିଛି । ଏହା ମଧ୍ୟରୁ ୩୬୯ ବେଡ୍ରେ ରୋଗୀ ରହିଛନ୍ତି । ଆଇସିୟୁ ଓ ଏଚଡିୟୁରେ ରୋଗୀ ଭର୍ତି ହାର ମାତ୍ର ୧୩ ପ୍ରତିଶତ । ସେହିପରି ଭେଂଟିଲେଟର ସପୋର୍ଟରେ ମାତ୍ର ୪ ପ୍ରତିଶତ ରୋଗୀ ରହିଛନ୍ତି । ରାଜ୍ୟରେ ମୋଟ୍ ୯୦୯ଟି ଭେଂଟିଲେଟର ବେଡ୍ ଥିବା ବେଳେ ମାତ୍ର ୩୫ ଜଣ ଏଥିରେ ଚିକିତ୍ସିତ ହେଉଛନ୍ତି । ମୋଟ୍ ରୋଗୀଙ୍କ ଭିତରୁ ୪୯ ହଜାର ୯୩୩ ଜଣ ଘରେ ଚିକିତ୍ସିତ ହେଉଛନ୍ତି ।

ସେପଟେ, ତୃତୀୟ ଲହରରେ ଅଧିକାଂଶ ରୋଗୀ ଗୁରୁତର ହେଉନଥିବାରୁ ହୋମ ଆଇସୋଲେସନ୍ ବା ଘରୋଇ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟୃ ମନ୍ତ୍ରାଳୟ । ଘରେ ରହି ଚିକିତ୍ସିତ ହୋଇ ଅଧିକାଂଶ ରୋଗୀ ଅଳ୍ପ ଦିନରେ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ପଜିଟିଭ୍ ହେବାର ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ହେବ ।

ସଙ୍ଗରୋଧ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ : –

– ଲକ୍ଷଣ ବିହୀନ ବା ସାମନ୍ୟ ଲକ୍ଷଣ ଥିଲେ ଘରୋଇ ସଙ୍ଗରୋଧରେ ରହିବେ ରୋଗୀ
– ସଙ୍ଗରୋଧ ସରିବା ପରେ ଲକ୍ଷଣ ନଥିବା ରୋଗୀଙ୍କ ଆଉଥରେ ପରୀକ୍ଷା ଆବଶ୍ୟକ ନାହିଁ
– ଡାକ୍ତରଙ୍କ ପରାମର୍ଶ ପରେ ବୟସ୍କ ଓ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିପାରିବେ
– ପଜିଟିଭ୍ ଚିହ୍ନଟ ହେବାର ୭ ଦିନ ସଙ୍ଗରୋଧରେ ରହିବାକୁ ହେବ
– ତେବେ କ୍ରମାଗତ ୩ ଦିନ ଜ୍ୱର ହୋଇନଥିବା ଜରୁରୀ