କନକ ବ୍ୟୁରୋ: ସଂକ୍ରମଣର ଭୟ ଭିତରେ କର୍ଣ୍ଣାଟକକୁ ମାସ୍କ ଫେରିଛି । ବାସବରାଜ ବୋମାଇ ସରକାର- ସ୍କୁଲ, କଲେଜ, ସିନେମା ହଲ, ଥିଏଟର ଭଳି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, ପବରେ ମାସ୍କ ପିନ୍ଧି ଜିରୋନାଇଟ ସେଲିବ୍ରେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ କଟକଣା ଲାଗୁ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର ।

Advertisment

କରୋନା ସଂକ୍ରମଣକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସତର୍କ ହୋଇଛି । କୋଭିଡ ଗାଇଡ ଲାଇନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ଅପିଲ କରିଛନ୍ତି ।

କରୋନାର ନୂଆ ପ୍ରଜାତି ବିଏଫ-୭ ଭାରିଆଣ୍ଟ ଚୀନରେ ତାଣ୍ଡବ ରଚୁଛି । ବିଶେଷ କରି ଝେଜିଆଙ୍ଗ ପ୍ରାନ୍ତରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଛି । ଦୈନିକ ୧୦ଲକ୍ଷ ମାମଲା ଚିହ୍ନଟ ହେଉଥିବା ବେଳେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞ କହୁଛନ୍ତି । ସ୍ଥିତି ଏମିତି ହୋଇଛି ରାଜରାସ୍ତା ଖାଁ ଖାଁ ହୋଇପଡିଛି, ହସ୍ପିଟାଲରେ ଶଯ୍ୟା ଅଭାବ, ଶବାଗାରରେ ମୃତଦେହ ରଖିବାକୁ ଜାଗା ନାହିଁ । କିଛି ଗୋଦାମ ଘରକୁ ଖାଲି କରି ମୃତଦେହ ରଖାଯାଉଥିବା ମାନବାଧିକାର କର୍ମୀ ଜେନିଫର ଜେଙ୍ଗ ସୂଚନା ଦେଇଛନ୍ତି । ଏପରିକି ଶେଷକୃତ୍ୟ ପରେ ଚିତାଭସ୍ମ ଓ ଅସ୍ଥି ପାଇଁ ଲୋକଙ୍କୁ ଟୋକନ ଦିଆଯାଉଛି । ଅନ୍ୟପଟେ କରୋନା ତଥ୍ୟ ସାର୍ବଜନୀନ କରିବାକୁ ମନା କରିଦେଇଛି ଚୀନ ନେସନାଲ ହେଲଥ କମିଶନା

ବିଶ୍ୱରେ ସଂକ୍ରମଣ ସ୍ଥିତିକୁ ଦେଖି ଏପଟେ ସତର୍କ ହୋଇଛି ଭାରତ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରି ମାସ୍କ ପିନ୍ଧିବା, ଗହଳିରୁ ଦୂରେଇ ରହିବା, ସାମାଜିକ ଦୂରତା ରକ୍ଷା କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ତେଣୁ ପୁଣି କରୋନା କଟକଣା ଫେରିବ କି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି ।