୪ ଜିଲ୍ଲାରେ କୋଭିଡ ବେଡ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ : ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଏମସିଏଲକୁ ନିର୍ଦ୍ଦେଶ

166

କନକ ବ୍ୟୁରୋ : ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫୦ଟି ବେଡ଼୍ ସହ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍, ଆଇସିୟୁ, ଭେଂଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ବେଳେ ଯୋଶୀ ଏହି ପତ୍ରର ପ୍ରତ୍ୟୁତରରେ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ଏମଏସିଏଲକୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହି ସଂକଟ ସମୟରେ ଓଡିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପଧ୍ରାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖି ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପଟିାଲ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲର ବସୁଦ୍ଧରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଂଚଳରେ ଥିବା କୋଭିଡ୍ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍ ସହ ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଅନୁରୂପ ଭାବରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର କୋଭିଡ୍ ହସ୍ପିଟାଲ ଏବଂ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲ ଠାରେ ୧୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ଼୍, ଆଇସିୟୁ ଏବଂ ଭେଂଟିଲେଟରର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।

ପ୍ରକାଶ ଥାଉ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ହିଁ ଏବେ ଝାରସୁଗୁଡା ଜିଲ୍ଲାର ଲଖନପୁର ହସ୍ପିଟାଲରେ ଏମସିଏଲ୍ ଦ୍ୱାରା ୨୦ଟି ଆଇସିୟୁ ସମେତ ୧୨୦ଟି ବେଡ୍ ବ୍ୟବସ୍ଥା କରାଯାଉଛି । ସେହିପରି ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏକ ପୃଥକ ପତ୍ରର ଅନୁରୋଧ କ୍ରମେ ତାଳଚେର ଏମସିଏଲ ହସ୍ପିଟାଲରେ ୧୨୦ଟି ବେଡ୍ ସହ ଭେଂଟିଲେଟର ଓ ଆଇସିୟୁର ବ୍ୟବସ୍ଥା ହୋଇସାରିଛି । କେନ୍ଦ୍ର ଖଣିମନ୍ତ୍ରୀ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏମସିଏଲ୍ ଓଡ଼ିଶାରେ କୋଭିଡ୍ ବିରୋଧୀ ଲଢ଼େଇରେ ବ୍ୟାପକ ଯୋଗଦାନ କରିଆସୁଛି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଏମସିଏଲ ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୨୦୦ ବେଡ଼୍ ସ୍ପୋନସର୍ କରୁଛି । ତାଳଚେର ଠାରେ ମଧ୍ୟ ଅନୁରୂପ ଭାବରେ ଏହି ସୁବିଧା ଯୋଗାଉଛି । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଏବଂ ଲଖନପୁର, ସୁନ୍ଦରଗଡ଼ର ବସୁନ୍ଧରା, ସମ୍ବଲପୁର ସ୍ଥିତ ଏମସିଏଲର ମୁଖ୍ୟ କାର୍ଯ୍ୟାଳୟ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରି ଲୋକଙ୍କୁ ସୁବିଧା ପ୍ରଦାନ କରୁଛି ।

ଜିଲ୍ଲା ପ୍ରଶାସନ, ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଏବଂ ସାମାଜିକ ସଂଗଠନ ଗୁଡ଼ିକୁ ଏମସିଏଲ୍ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଅକ୍ସିଜେନ୍, ପିପିଇ କିଟ୍ ଏବଂ ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରି ଆସୁଛି । ଏହାସହ ୧୪୦ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାରେ କୋଭିଡ୍-୧୯ ପରିଚାଳନା ଏବଂ ମୂଲ୍ୟବାନ ଜୀବନ ବଂଚାଉଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଏମସିଏଲକୁ ପତ୍ର ଯୋଗେ ପ୍ରଶଂସା କରିଥିଲେ ।

ରାଜ୍ୟରେ କୋଭିଡର ଦ୍ୱିତୀୟ ଲହରର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଜରୁରିକାଳୀନ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ।