ମୁଖ୍ୟମନ୍ତ୍ରୀଙ୍କ କୋଭିଡ ମୁକାବିଲା ସମୀକ୍ଷା । କହିଲେ, କୋଭିଡ ପରିଚାଳନାରେ ଭଲ ପ୍ରଦର୍ଶନ କରୁଛି ଓଡ଼ିଶା, ଅଧିକ ସତର୍କ ରହିବାକୁ ଦେଲେ ପରାମର୍ଶ ।

164

କନକ ବ୍ୟୁରୋ : କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି । କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ତେଣୁ ଏଭଳି ସମୟରେ ଅଧିକ ସତର୍କ ରହିବା ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ କୋଭିଡ ନିୟମାବଳୀକୁ ଦୃଢ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । କାରଣ ପୂର୍ବରୁ କେରଳ କୋଭିଡ ପରିଚାଳନାରେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ଓନାମ ପରେ କିନ୍ତୁ ସ୍ଥିତି ବଦଳି ଯାଇଥିଲା । ସଂକ୍ରମଣ ପୂର୍ବପେକ୍ଷା ଅଧିକ ବଢିଛି । ତେଣୁ କରୋନାକୁ ହାଲକାରେ ନେଲେ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି ।

ସମୀକ୍ଷା ବୈଠକରେ ରାଜ୍ୟର ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବା ସହ ଶିଳ୍ପ ପ୍ରକଳ୍ପ ଗୁଡିକୁ ସବୁ ସ୍ତରରେ ସହଯୋଗ ଓ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକେ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାବାଦ୍ ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ , ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନବୀନ । ସେହିଭଳି ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ   ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।