କରୋନା ଭୂତାଣୁ ସୃଷ୍ଟିକୁ ନେଇ ତଥ୍ୟ ଲୁଚାଉଛି କି ଚୀନ୍ ? ରାଷ୍ଟ୍ରପତି ଜିନପିଙ୍ଗଙ୍କ ଭୂମିକା ବଢାଇଲା ସନ୍ଦେହ ।

215

କନକ ବ୍ୟୁରୋ : କରୋନା ଭୂତାଣୁର ସୃଷ୍ଟି ଚୀନର ଉହାନ ସହରକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି । ଉହାନର ଯେଉଁ ଲାବରୁ କରୋନା ଭୂତାଣୁ ଲିକ୍ ହୋଇଥିଲା ସେହି ଲାବକୁ କବଳିତ କରିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ । ଆଉ ତାଙ୍କର ଏହି କାର୍ଯ୍ୟକଳାପ କରୋନା ଭୂତାଣୁର ସୃଷ୍ଟିକୁ ନେଇ ଚୀନର ଭୂମିକାକୁ ପୁଣିଥରେ ସନ୍ଦେହରେ ପକାଇଛି ।

ଉହାନର ଇନଷ୍ଟିଚ୍ୟୁଟ୍ ଅଫ ଭରୋଲୋଜିକୁ କବଳିତ କରିବାକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଉହାନ ଲାବର ଦାୟିତ୍ୱ ନେବା ପାଇଁ ଜଣେ ଆର୍ମି ଜେନେରାଲଙ୍କୁ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ । କରୋନା ଭୂତାଣୁର ସୃଷ୍ଟିକୁ ନେଇ କୌଣସି ସ୍ପଷ୍ଟ ସୂଚନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ପାଖରେ ନଥିବାରୁ ସେ ଏଭଳି ନିଷ୍ପତି ନେଇଥିବା ସୂଚନା ମିଳିଛି । ତେବେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏହି ପଦକ୍ଷେପ କରୋନା ଭୂତାଣୁର ସୃଷ୍ଟିକୁ ନେଇ ଚୀନର ଭୂମିକାକୁ ପୁଣି ସନ୍ଦେହ ଘେରକୁ ନେଇ ଆସିଛି ।

ଉହାନ ଲାବରୁ ଆସିଛି କି କରୋନା ଭୂତାଣୁ? କାହିଁକି ଉହାନ ଲାବକୁ ନିଜ ଅକ୍ତିଆରକୁ ନେଲେ ଜିନପିଙ୍ଗ? ଉହାନରେ କରୋନା ଭୂତାଣୁର ପରିସ୍ଥିତିକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ ଜଣେ ସାମ୍ବାଦିକ । ଆଉ ଏନେଇ ସେହି ସାମ୍ବାଦିକଙ୍କୁ ଗିରଫ କରିନେଇଛି ଚୀନ୍ ଆର୍ମି । ଏହାସହ ଉହାନ ଲାବକୁ ମଧ୍ୟ ନିଜ ଅଧିନକୁ ନେଇଛି । ଏହାଦ୍ୱାରା ଉହାନ ଲାବକୁ ନେଇ କୌଣସି ରିପୋର୍ଟ ଯେପରି ବାହାରକୁ ନଆସିବ । ପୂର୍ବରୁ ଭୂତାଣୁକୁ ନେଇ ଚୀନ ଉପରେ ଅଭିଯୋଗ କରିଆସୁଛନ୍ତି ଅନେକ ଦେଶ ।

– କରୋନା ଭୂତାଣୁ ସୃଷ୍ଟି ଉହାନ୍ ଲାବରୁ ହୋଇଥିବା ଅଭିଯୋଗ କରିଛି ଆମେରିକା 

– ଆମେରିକା କହିଛି ଭୂତାଣୁ ମନୁଷ୍ୟକୃତ

– ଅଷ୍ଟ୍ରେଲିଆ ମଧ୍ୟ ଭୂତାଣୁକୁ ନେଇ ସ୍ୱତନ୍ତ୍ର ତଦନ୍ତ କରିବାକୁ ଘୋଷଣା କରିଛି 

– ଯାହାକୁ ନେଇ ଅଷ୍ଟ୍ରେଲିଆ–ଚୀନ୍ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ବି ଆରମ୍ଭ ହୋଇସାରିଛି 

କରୋନା ଭୂତାଣୁ ସୃଷ୍ଟିକୁ ୨ ବର୍ଷ ପୁରଣ ହୋଇଥିଲେ ବି ଚୀନ ଏନେଇ ବର୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ ।

ମାରାତ୍ମକ କରୋନା ଭୂତାଣୁ ପ୍ରଥମେ ଚୀନର ଉହାନ ସହରରେ ଚିହ୍ନଟ ହୋଇଥିଲା । ୨୦୧୯ ଡିସେମ୍ବର ମାସରେ ଉହାନରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଧିରେ ଧିରେ ଏହି ଭୂତାଣୁ ପୂରା ସହରକୁ କବଳିତ କରିଥିଲା । ସହରରେ ଦୈନିକ ସଂକ୍ରମଣ ପାଖାପାଖି ୩ ହଜାରକୁ ପହଞ୍ଚିଯାଇଥିଲା । ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଅନେକ କଠିନ ନିୟମ ଲାଗୁ ହୋଇଥିଲା ଏହି ସହରରେ । ପରେ ଉହାନରୁ ବାହାରି ସାରା ବିଶ୍ୱକୁ ବ୍ୟାପିଯାଇଛି କରୋନା । ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରାଣ ବି ହରାଇଛନ୍ତି । ଫଳରେ ସାରା ବିଶ୍ୱ ଜାଣିବାକୁ ଚାହୁଁଛି, କରୋନା ଭୂତାଣୁ ପଛର ପ୍ରକୃତ ସତ । ହେଲେ ଏବେ ଲାଗୁଛି ଚୀନ୍ ସବୁ ପ୍ରମାଣ ନଷ୍ଟ କରିବାରେ ଲାଗିଛି ।