କୋଭିଡ କମାଉଛି ସିମେନ କ୍ୱାଲିଟି। ଗବେଷଣାରୁ ଆସିଲା ଚିନ୍ତାଜନକ ତଥ୍ୟ।

799

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ହେଲା କୋଭିଡ ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଥିବା ବେଳେ ଏହାର ଦୂରଗାମୀ ପ୍ରଭାବ ନେଇ ଗବେଷଣା ଜାରି ରହିଛି । ଜଣେ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇ ଭଲ ହୋଇଗଲା ପରେ ଯେ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲା, ଏକଥା ଭାବିବା ଭୁଲ । କାରଣ କୋଭିଡ୍ ଆକ୍ରାନ୍ତଙ୍କ ପାଖରେ ଏହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହୁଛି । ଏବେ ଗବେଷଣାରୁ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି, ତାହା ଯେତିକି ସାଂଘାତିକ, ସେତିକି ଚିନ୍ତାଜନକ । କୋଭିଡ ଯୋଗୁଁ ପୁରୁଷଙ୍କ ମଧ୍ୟରେ ସିମେନ ବା ବୀର୍ଯ୍ୟର ଗୁଣବତା କମିଯାଉଛି । ପାଟନା ଏମ୍ସର ଗବେଷଣା ଏହା ସ୍ପଷ୍ଟ କରିଛି ।

୩୦ ଜଣ କୋଭିଡ ଆକ୍ରାନ୍ତ ପୁରୁଷଙ୍କ ସିମେନକୁ ନେଇ ଗବେଷଣା କରାଯାଇଥିଲା ବେଳେ ଏମାନଙ୍କ ବୟସ ୧୯ରୁ ୪୩ ବର୍ଷ ମଧ୍ୟରେ ରହିଥିଲା । ଏହି ରୋଗୀମାନେ ଏମ୍ସ ପାଟନାରେ ଅକ୍ଟୋବର ୨୦୨୦ ଏବଂ ଏପ୍ରିଲ ୨୦୨୧ ମଧ୍ୟରେ ଚିକିତ୍ସିତ ହୋଇଥିଲେ ।
ଏହି ଗବେଷଣାରୁ ମିଳିଥିବା ତଥ୍ୟ କହୁଛି ଯେ,

• ପ୍ରଥମ ନମୁନା ପରୀକ୍ଷଣରେ ସିମେନ ସ୍ୱାଭାବିକ ତୁଳନାରେ କମ୍ ଥିଲା
• ୪୦ % ରୋଗୀଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳିଲା
• ସାଧାରଣ ଭାବେ ଶୁକ୍ରାଣୁର ପରିମାଣ ଦେଢ଼ ମିଲି ଲିଟରରୁ ୫ ମିଲିଲିଟର ଭିତରେ ରହିବା କଥା
• ହେଲେ ୧୦ ଜଣ କୋଭିଡ ଆକ୍ରାନ୍ତଙ୍କ ପାଖରେ ଶୁକ୍ରାଣୁ ପରିମାଣ ଦେଢ଼ ମିଲିଲିଟରରୁ କମ୍ ଥିଲା
• ପ୍ରଥମ ନମୁନାର ୭୪ ଦିନ ପରେ ଦ୍ୱିତୀୟ ନମୁନା ନିଆଯାଇଥିଲା
• ଦ୍ୱିତୀୟ ନମୁନା ପରୀକ୍ଷଣରେ ମଧ୍ୟ ଏହି ସମସ୍ୟା ଦେଖାଗଲା
• ସେତେବେଳେ ୧୦% ରୋଗୀଙ୍କ ଶୁକ୍ରାଣୁ ପରିମାଣ ସ୍ୱାଭାବିକ ଠାରୁ କମ୍ ଥିଲା
• ସମସ୍ତ ରୋଗୀଙ୍କ ସିମେନ କୋଭିଡ ମୁକ୍ତ ଥିଲା

ସିମେନ ଉପରେ କୋଭିଡର ପ୍ରଭାବ ନେଇ ଗବେଷଣା ରିପୋର୍ଟେ “କ୍ୟୁରିୟସ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ସାଇନ୍ସ’ରେ ପ୍ରକାଶ ପାଇଛି । ଏଥିରେ ଶୁକ୍ରାଣୁ ସଂରକ୍ଷଣ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି ।