କରୋନା ସଂକ୍ରମଣ ସଂଖ୍ୟା : ରାଜ୍ୟରେ ଗତ ୪୦ ଦିନରେ ସର୍ବନିମ୍ନ, ସେପଟେ ଖୋର୍ଦ୍ଧାରେ ସଂଖ୍ୟା କମିବା ଆଶାଜନକ

317

କନକ ବ୍ୟୁରୋ : ଗତ ୪୦ ଦିନରେ ଆଜି ରାଜ୍ୟରେ ସର୍ବନିମ୍ନ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୪୫୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଥିଲା ସେତେବେଳେ ସଂକ୍ରମଣ ଗାଡିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକରା ଲକଡାଉନ୍ ନିଷ୍ପତ୍ତି ନେଇଥିଲେ । ଗତ ମେ’ ୫ତାରିଖରୁ ରାଜ୍ୟରେ ତାଲା ବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର । ଦୋକାନ ବାଜାର, ମଲ, ଶିକ୍ଷାନୁଷ୍ଠାନ, ଜିମ୍ ଏବଂ ପାର୍ଲର ଇତ୍ୟାଦି ଖୋଲିବା ଉପରେ କଟକଣା ଲଗାଇଥିଲେ । ଆଉ ମେ’ ୫ ତାରିଖରୁ ଆଜି ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଛି । ଆଉ ରାଜ୍ୟରେ ତାଲାବନ୍ଦ କଟକଣା ପାଇଁ କରୋନା ମିଟର ତଳକୁ ଖସୁଛି । ଗତ ମାସକ ତଳର ରିପୋର୍ଟ ଉପରେ ଯଦି ଆମେ ନଜର ପକାଇବା ତେବେ ମେ ମାସରେ ୧୦ ହଜାର ଉପରେ ରହିଥିଲା କରୋନା ସଂକ୍ରମଣ ହାର । ଆଉ ଏବେ ଧିରେ ଧିରେ ଏହି ସଂଖ୍ୟା ତଳକୁ ଖସୁଛି ।
ସେପଟେ ଯଦି ଆମେ ଖୋର୍ଦ୍ଧା ଜିଲ୍ଲା କଥା କହିବା, ତେବେ ସବୁ ଜିଲ୍ଲାଗୁଡିକ ଠାରୁ ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । କିନ୍ତୁ ଗତ ୨୪ ଘଣ୍ଟାରେ ସଂକ୍ରମଣ ହାର ହ୍ରାସ ପାଇ ୪୯୫ ପହଛି । ତେବେ ଗତ ୪୦ ଦିନରେ ସର୍ବନିମ୍ନ ସଂକ୍ରମଣ ଚିହ୍ନଟ ହେବା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି । ଆଗକୁ ଯଦି ଏହି ଭଳି ଭାବେ କରୋନା ସଂକ୍ରମଣ କମେ ତାହେଲେ ଆଗକୁ ଲକଡାଉନ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ।