କରୋନାରୁ ଭାରତକୁ ଶୀଘ୍ର ମିଳିବ ନାହିଁ ମୁକ୍ତି : ଡବ୍ଲୁଏଚଓ ବୈଜ୍ଞାନିକ କହିଲେ ସ୍ଥାନିକତା ଚରଣରେ ପ୍ରବେଶ କରୁଛି ମହାମାରୀ

173

କନକ ବ୍ୟୁରୋ : କରୋନାରୁ ଭାରତକୁ ଶୀଘ୍ର ମିଳିବ ନାହିଁ ମୁକ୍ତି । ହୁଏତ କରୋନା ସହ ହିଁ ଆଗକୁ ବଂଚିବାକୁ ହେବ । ଏମିତି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ’ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଭାରତରେ କରୋନା ଏବେ ଏକ ବିଶେଷ ସ୍ଥିତିରେ ପହଂଚିଛି । ଏହି ସ୍ଥିତି ମହାମାରୀ ଠାରୁ ଅଲଗା । ଏହି ସମୟରେ କମ୍ ଓ ମଧ୍ୟମ ଧରଣର ସଂକ୍ରମଣ ଲାଗି ରହିଥାଏ । ଆଉ ଏହି ସ୍ଥିତିରେ ଲୋକଙ୍କୁ ଭୂତାଣୁ ସହ ବଂଚିବାକୁ ଶିଖିବାକୁ ପଡ଼ିବ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଦେଶର ବିଶାଳ ଜନସଂଖ୍ୟା, ଭିନ୍ନ ଭିନ୍ନ ଅଂଚଳରେ ରୋଗ ପ୍ରତିରୋଧକ ଶକ୍ତିରେ ଅସମାନତା ରହିଥିବାରୁ କରୋନାରୁ ଭାରତକୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଯିବ କୁହାଯାଇ ନପାରେ । ବରଂ କରୋନା ଭୂତାଣୁ ସହ ଆମକୁ ବଂଚିବାକୁ ପଡ଼ିବ । ସଂକ୍ରମଣ ସ୍ତର କେବେ କମ୍, କେବେ ବେଶୀ ହୋଇପାରେ । ଅନ୍ୟପଟେ ତୃତୀୟ ଲହରରେ ଅଧିକ ଛୋଟ ପିଲାଙ୍କୁ ସଂକ୍ରମଣ ହେବା ନେଇ ଯେଉଁ ଆକଳନ କରାଯାଉଛି ସେଥିପାଇଁ ଆତଙ୍କିତ ନହେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ରର କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି, ସୌଭାଗ୍ୟବଶତଃ ଶିଶୁ ମାନଙ୍କ ନିକଟରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନେ କମ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଛି । ଆଉ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଗୁରୁତ୍ୱର ହେଉଛନ୍ତି । ତେବେ ଟିକାକରଣ ଉପରେ ସେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଦେଶରେ ଯେତେ ଅଧିକରୁ ଅଧିକ ଟିକାକରଣ କରାଯିବ ସେତେ ଭଲ ।