ଚିନ୍ତାରେ ଯାଜପୁର ଜିଲ୍ଳା କଂଟାବଣିଆ ଗାଁର ବେତ କାରିଗର । କରୋନା ସ୍ଥିତି ଛଡ଼ାଇ ନେଇଛି ରୋଜଗାର, ବିକ୍ରି ବଟା ନାହିଁ, କେମିତି ଚଳାଇବେ ପରିବାର ।

177

କନକ ବ୍ୟୁରୋ : ଚିନ୍ତାରେ ଏବେ ବେତ କାରିଗର । ବୃତିରେ ଏବେ କରୋନା ସାଜିଛି ବାଧକ । ସମସ୍ୟା ଘେରରେ ବେତ କାରିଗରଙ୍କ ଜୀବିକା । ଦୀର୍ଘ ପଚାଶ ବର୍ଷ ଧରି ଚଳିଆସୁଥିବା ବୃତି ଏବେ କରୋନା ପାଇଁ ବାଧାପ୍ରାପ୍ତ । ନା ଅଛି ବିକ୍ରି ନା ମିଳିଛି କିଛି ସରକାରୀ ସହାୟତା । ଏହେଉଛି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଟାବଣିଆ ଗାଁର କୁଶଳୀ ବେତ କାରିଗରଙ୍କ କଥା । କରୋନା ସତେ ଯେମିତି ସେମାନଙ୍କ ମୁହଁରୁ ଛଡାଇ ନେଇଛି ହସ ।

ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ କଂଟାବଣିଆ ଗାଁ । ଏଇ ଗାଁରେ ବସବାସ କରନ୍ତି ପାଖାପାଖି ପଚାଶଟି ପରିବାର । ଏମାନେ ପିଢ଼ି ପରେ ପିଢ଼ି ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି, ଆଉ ବିକ୍ରିବଟା କରି ପରିବାର ଗୁଜୁରାଣ ମେଂଟାଇଥାନ୍ତି । ଏପରିକି ଏମାନଙ୍କ ହାତ ତିଆରି ବେତ ସାମଗ୍ରୀର ମଧ୍ୟ ଓଡିଶାର ବାଲେଶ୍ୱର, ବାରିପଦା, କେନ୍ଦ୍ରାପଡା, କଟକ, ଜଗତସିଂପୁର ପ୍ରଭୃତି ଜିଲ୍ଳାରେ ବେଶ୍ ଚାହିଦା ରହିଛି । ମାତ୍ର କରୋନା ସ୍ଥିତି ପାଇଁ କାରବାରରେ ଏକ ପ୍ରକାର ରୋକ୍ ଲାଗିଯାଇଥିବା ଯୋଗୁଁ ଘୋର ଆର୍ଥିକ ଦୁଃସ୍ଥିତିରେ ଜୀବନ ଯାପନ କରୁଛନ୍ତି ବୋଲି କହନ୍ତି କାରିଗରମାନେ ।

ଏହି କଂଟାବଣିଆ ଗାଁର ବେତ କାରିଗରମାନେ ବିଭିନ୍ନ ସମୟରେ ବୁଲିବୁଲି ଲୋକଙ୍କ ବାଡି ବଗିଚାରୁ ବେତ ସଂଗ୍ରହ କରି ତାକୁ ଚିରି ବିଭିନ୍ନ ଡିଜାଇନର ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏମାନଙ୍କ ହାତ ତିଆରି ବେତ ସାମଗ୍ରୀ ଯଥା ଗୋଉଣୀ, କୁଂଚ, ମାଣ, ଶେର, ଟୋକେଇ, ସୋଫା ଓ ଘର ସଜା ଉପକରଣକୁ ଦେଖିଲେ ବୁଝିହୁଏ ଏମାନେ କେତେ କୁଶଳୀ କାରିଗର । ନିକଟରେ ଜିଲ୍ଳା ଶିଳ୍ପକେନ୍ଦ୍ର କଳିଙ୍ଗନଗର ପକ୍ଷରୁ ଏହି କାରିଗରମାନଙ୍କୁ ଅଧିକ ପ୍ରଶିକ୍ଷିତ କରି ବ୍ୟବସାୟ ବଢାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର ତାହା କରୋନା ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ରହିଥିବା ବେଳେ କାରିଗରମାନଙ୍କୁ ପ୍ରଶିକ୍ଷଣ ବାବଦକୁ ଅର୍ଥ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।