ମାଆ ମରିନାହିଁ, କରାଗଲା ଶୁଦ୍ଧିକ୍ରିୟା ! ଜୀବିତ ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଶୁଦ୍ଧିକ୍ରିୟା କଲେ ପରିବାର: ବାରିପଦା କୋଭିଡ ହସପିଟାଲରୁ ଆସିଲା କରୋନା ପରିଚାଳନାରେ ସାଂଘାତିକ ଅଭିଯୋଗ

ଅତିରିକ୍ତ ଜିଲ୍ଲାପାଳଙ୍କ ଅଜବ ଯୁକ୍ତି

1,988

କନକ ବ୍ୟୁରୋ: ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲା ହସ୍ପିଟାଲ, ଆଉ ମା’ ମୃତ ଭାବି ହେଲା ସୁଦ୍ଧିକ୍ରିୟା ଆରମ୍ଭ କରିଦେଲେ ପରିବାର ଲୋକ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଙ୍ଗୀଷୋଳ କୋଭିଡ୍ ହସ୍ପିଟାଲରୁ । ଘଟଣାଟି ଯେତେ ସମ୍ବେଦନଶୀଳ କାହାଣୀଟି ସେତିକି ଦୟନୀୟ । ଜୀବୀତ ରୋଗୀଙ୍କ ମୃତ ଘୋଷଣା ବୋଲି ଫୋନ୍ ଯୋଗେ ସୂଚନା ଦେବା କେତେ ବଡ଼ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିପାରେ, ଇଏ ହେଉଛି ତାର ଚିତ୍ର । ହସ୍ପିଟାଲ ରୋଗୀଙ୍କ ମୃତ୍ୟୁ ନେଇ ସୂଚନା ଦେବାର ୧୦ ଦିନ ପରେ ହସ୍ପିଟାଲ ସାମ୍ନାରେ ପହଂଚି ହମାଙ୍ଗା କରିଛନ୍ତି ପରିବାର ଓ ଗାଁ ଲୋକେ । ଆଉ ଘଟଣାକୁ ନେଇ ସ୍ଥିତି ଏଭଳି ହୋଇଥିଲା ଯେ, ଅତିରିକ୍ତ ଜିଲ୍ଲାପାଳଙ୍କୁ ନାକେଦମ୍ ହେବାକୁ ପଡ଼ିଛି ।

ଅଭିଯୋଗ ଅନୁସାରେ- ରାଇରଙ୍ଗପୁର ଅଂଚଳର ଜଣେ ବୟସ୍କ ମହିଳା ଗତ ୭ ତାରିଖରେ ବାଙ୍ଗୀଷୋଳ କୋଭିଡ୍ ହସ୍ପିଟାଲରେ ଭିର୍ତ ହୋଇଥିଲେ । ହସ୍ପିଟାଲରେ ଭର୍ତି କରିବାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ୮ ତାରିଖ ଦିନ ପ୍ରାୟ ଦେଢ଼ଟା ବେଳେ ହସ୍ପିଟାଲରୁ ଫୋନ୍ ଆସିଲା, ଆପଣଙ୍କ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ହୋଇଥିବା ଖବର ପାଇ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । ରୋଗୀଙ୍କ ମୃତଦେହ ସମ୍ପର୍କରେ ଅଧିକ ତଥ୍ୟ ଦେବା ପାଇଁ ବାରମ୍ବାର ଫୋନ୍ କରି ଅନୁରୋଧ କରିବା ପରେ ବି ହସ୍ପିଟାଲରୁ କୌଣସି ଉତର ପାଇନଥିଲେ । ଏମିତି କି ମୃତଦେହର ଅନ୍ତତଃ ଫଟୋଟିଏ ଦେବାକୁ ଅନୁରୋଧ କରିଥିଲେ । ହେଲେ ହସ୍ପିଟାଲ କର୍ତୃପକ୍ଷ ସେତକ ବି ସୂଚନା ଦେଇନଥିଲେ । ଆଉ ଏଭଳି ସ୍ଥିତିରେ ମା’ଙ୍କ ମୃତ୍ୟୁ ହୋଇଥିବା ଖବରକୁ ବିଶ୍ୱାସ କରି ପରିବାର ଲୋକ ଶୁଦ୍ଧିକ୍ରିୟା ବି ଆରମ୍ଭ କରିଦେଇଥିଲେ । ମୃତ୍ୟୁର ୧୦ ଦିନ ଯାଏଁ ଯାହା ଯାହା କରାଯାଏ, ସବୁ କିଛି କ୍ରିୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଆଉ ୧୦ ଦିନ ଅର୍ଥାତ୍ ଦଶାହରେ କୌଣସି ସୂତ୍ରରୁ ଜାଣିବାକୁ ପାଇଲେ ଯେ, ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ଏଭଳି ଏକ ଖବର ପାଇବା କ୍ଷଣି ହସ୍ପିଟାଲ ସମ୍ମୁଖରେ ଯାଇ ହଙ୍ଗାମା କରିଛନ୍ତି ପରିବାର ଲୋକ । ରୋଗୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନଦେବାରୁ ପରିବାର ଲୋକ ଏବଂ ହସ୍ପିଟାଲ କର୍ତୃପକ୍ଷଙ୍କ ମଧ୍ୟରେ ବେଶ ପାଟିତୁଣ୍ଡ ବି ହୋଇଥିଲା । ଶେଷରେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଏବଂ ବାରିପଦା ଉପଖଣ୍ଡ ପୁଲିସ୍ ଅଧିକାରୀ ପହଂଛି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ୍ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା । ଆଉ ଏହାରି ଭିତରେ ରୋଗୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଦେଉନଥିବା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନାକେଦମ୍ ଦେବାକୁ ପଡ଼ିଛି । ଆଉ ଏହି ଘଟଣା ସମ୍ପର୍କରେ ଯେତେବେଳେ ଆମ ବାରିପଦା ପ୍ରତିନିଧି ଦୋଳଗୋବିନ୍ଦ ବାରିକ୍, ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ, ସେ କିଛି ଉତର ଦେବା ପରିବର୍ତେ ଅଜବ ଯୁକ୍ତି କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, କହିଥିଲେ, ଲୋକଙ୍କ ସ୍ଥିତି ବୁଝିବୁ ନା ବାଇଟ୍ ଦେବୁ ବୋଲି ଓଲଟା ପ୍ରଶ୍ନ କରିଥିଲେ ।