କରୋନା ମୁକାବିଲା ପାଇଁ ଓଡ଼ିଶାର ବଡ଼ ପ୍ରସ୍ତୁତି । ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୫ଟି କୋଭିଡ୍ ହସ୍ପିଟାଲ ।

1,930

କନକ ବ୍ୟୁରୋ : ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟରେ ଆଉ ୫ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରି, ରାୟଗଡା ଓ ଜୟପୁରରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ହୋଇଛି । ଏସବୁ ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କାର୍ଯ୍ୟକ୍ଷମ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଜୟପୁର କୋଭିଡ ହସପିଟାଲ । ଭୂତକୋଠି ହୋଇ ପଡିରହିଥିବା ଜୟପୁରର ପୁରୁଣା ମେଡିକାଲକୁ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏଠି ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କରାଯାଉଥିଲା । ଏବେ ଏହି ହସପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେବ ।

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ବାଲେଶ୍ୱରର କୋଭିଡ୍ ହସପିଟାଲ । ବାଲେଶ୍ୱରର କୋରଡା ସ୍ଥିତ ଜ୍ୟୋତି ହସ୍ପିଟାଲରେ ଏହି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ୧୨୦ ଟି ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲରେ ରହିଛି ୧୨ଟି ଆଇସିୟୁର ବ୍ୟବସ୍ଥା । ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ସହଯୋଗରେ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଥିବା ବେଳେ ପରିଚାଳନା କରିବ ଜ୍ୟୋତି ହସପିଟାଲ । ଯେଉଁଠି କରୋନା ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇଦିଆଯିବ ।

ସତନ୍ତ୍ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫଙ୍କୁ ନେଇ ରାୟଗଡାରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଜେକେପୁର ଠାରେ ଥିବା ଇଏସଆଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର କୋଭିଡ ହସପିଟାଲରେ ୫ଜଣ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି ।

ଢେଙ୍କାନାଳ ବାଜିଚୌକ ଠାରେ ଉଦଘାଟିତ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପୁରୁଣା ମୁଖ୍ୟ ଚିକିତ୍ସାଳୟର ୨ ମହଲା ସର୍ଜରୀ ୱାର୍ଡକୁ କରୋନା ରୋଗୀକଂ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ୧୦୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ କରୋନା ଆକ୍ରାନ୍ତକଂ ଲାଗି ୬୦ଟି ଶଯ୍ୟା ଥିବା ବେଳେ ପୁରୁଣା ମେଡିସିନ ୱାର୍ଡରେ ୪୦ ଟି ଶଯ୍ୟା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ରହିଛି ।

ମାଲକାନଗିରିରେ କାର୍ଯ୍ୟକ୍ଷମ ହୋଇଛି ୧୦୦ ଶଯ୍ୟାର ସ୍ୱତନ୍ତ୍ର କୋଭିଡ୍ ହସପିଟାଲ । ଯେଉଁଠି ରହିଛି ୪ଟି ଭେଣ୍ଟିଲିଟରର ବ୍ୟବସ୍ଥା । ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଅନୁଦାନରେ ଏହି ଡାକ୍ତରଖାନା ପ୍ରସ୍ତୁତ ହୋଇଛି ।

ଏହାରି ଭିତରେ ଝାରସୁଗୁଡ଼ା ଜିଲ୍ଲାପ୍ରଶାସନ ପକ୍ଷରୁ ପୁରୁଣା ହସ୍ପିଟାଲକୁ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଭାବରେ ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନିଆଯାଇଛି । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏହି ହସ୍ପିଟାଲର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଗାମୀ ସପ୍ତାହ ସୁଦ୍ଧା ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ତିଆରି କରାଯିବ ଏବଂ ହସ୍ପିଟାଲରେ ୫୦ରୁ ୧୦୦ ଶର୍ଯ୍ୟାର ବ୍ୟବସ୍ଥା କରାଯିବ । ଏହି ସ୍ୱତନ୍ତ୍ର ହସପିଟାଲରେ ୨୦ ଜଣ ଡ଼ାକ୍ତର ସ୍ୱାସ୍ଥ୍ୟସେବା ଯୋଗାଇଦେବେ ।