କନକ ବ୍ୟୁରୋ : କୋଭିଡ୍ ହସପିଟାଲରେ ପାୱାର କଟ୍ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । କରୋନାରେ ଆକ୍ରାନ୍ତ ହେବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବେ କଟକର ଅଶ୍ୱିନୀ କୋଭିଡ୍ ହସପିଟାଲରେ ଚିକତ୍ସିତ ହେଉଛନ୍ତି । ଗୋଟିଏ ଦିନରେ ୮-୯ ଥର ପାୱାର କଟ୍ ହୋଇଥିବା ନେଇ ଟ୍ୱିଟ୍ କରି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ, ଶକ୍ତି ବିଭାଗ ଓ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡଙ୍କୁ ସେ ଦାୟୀ କରିଛନ୍ତି ।

Advertisment

ଟ୍ୱିଟ୍ କରି ମହମ୍ମଦ ମୋକିମ୍ କହିଛନ୍ତି ଏମାନଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ହେଉଛି । ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ପାଇଁ କୋଭିଡ୍ ହସପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ସେ ଦାବି କରିଛନ୍ତି । ସରକାର ସ୍ୱତନ୍ତ୍ର କଂଟ୍ରୋଲ ୟୁନିଟ୍ ସ୍ଥାପନ କରି ଏହା ଉପରେ ନଜର ରଖନ୍ତୁ ଏବଂ କୋଭିଡ୍ ହସପିଟାଲ୍, ସଙ୍ଗରୋଧ କେନ୍ଦ୍ର ଓ ଟେଷ୍ଟିଂ ଲ୍ୟାବ୍ଗୁଡିକୁ ୨୪ ଘଂଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।