କାଳ ହୋଇ ଆସିଲା କରୋନା, ଛଡ଼ାଇନେଲା ଖୁସିର ସଂସାର : ଆତ୍ମୀୟ ସ୍ୱଜନଙ୍କ ଶେଷକୃତ୍ୟ କ’ଣ ଶେଷଦର୍ଶନ ବି କରିପାରୁନାହାନ୍ତି ପରିବାର

192

କନକ ବ୍ୟୁରୋ :  ସୁଖର ସଂସାରରେ ଦାନବ ହୋଇ ଆସିଛି କରୋନା । ଭୂତାଣୁ ସଂକ୍ରମିତ ହୋଇ କିଏ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି ତ ଆଉ କିଏ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଉଛନ୍ତି । ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରି ଦେଉଛି ଏ ମହାମାରୀ । ଜଣଙ୍କ ଜୁଇ ଲିଭିବା ଆଗରୁ ଚାଲି ଯାଉଛି ଆଉ ଜଣଙ୍କ ଜୀବନ । ଆଉ ଅଧାରେ ରହି ଯାଉଛି ଶେଷ ଇଚ୍ଛା ।

ପ୍ରତିଦିନ ଭଳି ସେଦିନ ବି ନିଜ କାମରେ ବ୍ୟସ୍ତ ଥିଲେ ଅମଜାଦ ବାଦସାହ । ଅସୁସ୍ଥତା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ଗଲେ । କିନ୍ତୁ ତା ପରଠାରୁ ଆଉ ଘରକୁ ଫେରିନାହାନ୍ତି ଅମଜାଦ । ଆଉ କେଇ ଦିନ ପରେ ଅମଜାଦଙ୍କ ମା ବି ଚାଲିଗଲେ ଆରପାରିକୁ । ସତେ ଯେମିତି କାଳ ହୋଇ ଆସିଥିଲା କରୋନା । ଉଜାଡିଦେଲା ସୁଖର ସଂସାର ।

ସେହିପରି କବ୍ରିସ୍ତାନରେ ହାତ ଗଣତି ଲୋକଙ୍କୁ ନେଇ ନମାଜ ପାଠ ହେଲା । କୋଭିଡ କଟକଣା ପାଇଁ ନା ହୋଇପାରିଲା ଶୁଦ୍ଧ ସ୍ନାନ ନା ପରିବାର ଲୋକ ଦେଇପାରିଲେ କଫନ । ସ୍ତ୍ରୀ , ପୁଅ ଓ ଭାଇ ବୋହୂକୁ କେଇ ଦିନ ଭିତରେ ହରାଇଛନ୍ତି ମହମ୍ମଦ ଜମିଉଲ୍ଲା । ରୀତିନୀତି ଅନୁଯାୟୀ ପ୍ରିୟଜନଙ୍କୁ ଶେଷ ବିଦାୟ ଦେଇପାରିନଥିବାରୁ ଆଜି ବି କାନ୍ଦୁଛି ତାଙ୍କ ହୃଦୟ ।

ସେପଟେ, ମା’ ଙ୍କୁ ହରାଇ ଅସାହୟ ହୋଇପଡିଛନ୍ତି ସୁଦିପ୍ତା । ଅଳି ଅଝଟ ହେଉ ବା ଅଭିମାନ ସବୁ ତ ସହୁଥିଲା ମା । ସୁଦିପ୍ତା ଓ ତାଙ୍କ ପୁଅକୁ ଛାଡିଦେଲେ ପରିବାରର ସବୁ ସଦସ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସ୍ବାମୀ ବି ପଜିଟିଭ ଥାନ୍ତି । ଆଖିର ଲୁହ ଆଉ ବୋଲ ମାନୁନଥାଏ । ମାର ଶେଷ ଦର୍ଶନ ବି ଠିକ ସେ କରିପାରିଲେନି । ନୀତି କର୍ମ ସବୁ ଅଧୂରା ରହିଗଲା । ସେ ସମୟ ବିତିଯାଇଛି ସତ କିନ୍ତୁ ମନରେ ରହିଯାଇଛି ଅନେକ ଅବଶୋଷ ।