ଭୂତାଣୁ ବେଳେ ଭସାଣି ଭିଡ । ଗଞ୍ଜାମରେ କମିଗଲା କି କରୋନା ?

64

କନକ ବ୍ୟୁରୋ: ଭୂତାଣୁ ଭୟ ଭୁଲିଗଲେ, ଭସାଣିରେ ଭିଡ ଜମାଇଲେ । ଲକ୍ଷ୍ମୀପୂଜା ଭସାଣିରେ ଡିଜେ ବଜାଇ, ନିର୍ଧୂମ ନାଚିଲେ ଲୋକେ । କରୋନା କଟକଣାକୁ ଦଳିଚକଟି ଦେଲେ, ରାସ୍ତା ଉପରେ ମେଳା କଲେ ଶତାଧିକ ଲୋକ । ପାର୍ବଣ ବେଳେ କରୋନା କଟକଣା ଲାଗିଥିବା ବେଳେ ଶୋଭାଯାତ୍ରା, ଆଡମ୍ବରପୂର୍ଣ୍ଣ ଭସାଣି ଉପରେ ରୋକ ଲଗାଯାଇଛି । ବିନା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଅନୁମତି ରହିଛି । ହେଲେ ସେସବୁ କଟକଣାକୁ ଜଳାଞ୍ଜଳି ଦେଇ ଝୁମିଲେ ଶତାଧିକ ଲୋକ । ଡିଜେ ବଜାଇ ମେଲୋଡି ଟିମ୍ ସହ ନାଚିଲେ ଶହ ଶହ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ।

ତେବେ ହିଞ୍ଜିଳିକାଟୁ ରାଧାକୃଷ୍ଣ ବ୍ୟବସାୟୀ ସଂଘର ଲକ୍ଷ୍ମୀପୂଜା ଭସାଣିରେ ଲୋକ ଏଭଳି ଏକାଠି ନାଚୁଥିବା ଦେଖିବାକୁ ମିଳିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ପୋଲିସ ସହ ଲୋକଙ୍କର ଧସ୍ତାଧସ୍ତି ହୋଇଥିଲା । ହିଞ୍ଜିଳିକାଟରୁ ଘୋଡାହାଟରୁ ବାହାରିଥିବା ଏହି ଶୋଭାଯାତ୍ରା ପରିବା ବଜାର ନିଟକରେ ପହଂଚିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା ।

ଶେଷରେ ପୋଲିସ ଡିଜେ ଗାଡି ସହ ନାଚୁଥିବା ଡ୍ୟାନ୍ସରକୁ ଅଟକ ରଖିଛି । ପରେ ପୂଜା କମିଟି ସହ ଆଲୋଚନା ପରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମୂର୍ତି ବିସର୍ଜନ କରାଯାଇଛି । ଶୋଭାଯାତ୍ରାକୁ ବାରଣ କରାଯାଇଥିବା ବେଳେ ଏଥିପାଇଁ ଅନୁମତି କିଏ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଯଦି ପୋଲିସ ଅନୁମତି ବିନା ସେମାନେ ଭସାଣୀ କରୁଥିଲେ ପୋଲିସ କିପରି ସୂଚନା ପାଇଲା ନାହିଁ ତାଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ।