ଆଜିଠାରୁ ରେଳ ଯାତ୍ରୀଙ୍କ ଉପରେ କଟକଣା । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସିଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କିମ୍ବା ଟିକାର ଦ୍ୱିତୀୟ ଡ଼ୋଜ୍ ସାର୍ଟିଫିକେଟ୍

564
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ରେଳ ଯାତ୍ରୀଙ୍କ ଉପରେ କଟକଣା । ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀମାନେ ଏପ୍ରିଲ ୧୦ ପୂର୍ବରୁ ଯାତ୍ରା ଆରମ୍ଭ କରୁଥିବେ, ସେମାନେ ଯାତ୍ରା କରିବା ପୂର୍ବରୁ ୭୨ ଘଂଟା ମଧ୍ୟରେ ଆରଟିପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ସାର୍ଟିଫିକେଟ ସାଙ୍ଗରେ ଧରି ଆସିବେ ।
ତେବେ ବୈଧ ପ୍ରମାଣପତ୍ର ନଥିବା ଯାତ୍ରୀଙ୍କୁ ୭ଦିନ ବାଧ୍ୟତାମୂଳକ ଘରୋଇ କିମ୍ବା ଆନୁଷ୍ଠାନିକ ସଂଗରୋଧରେ ରହିବାକୁ ପଡିବ । ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ଏହି କଟକଣା ଲାଗିଛି । ବିଶେଷ କରି ସୀମାନ୍ତବର୍ତୀ ଜିଲ୍ଲାରେ କରୋନାର ପ୍ରତିକୂଳ  ପ୍ରଭାବକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବୋର୍ଡ ପକ୍ଷରୁ ଯାତ୍ରୀଙ୍କ ଉପରେ ଏହି କଟକଣା ଲଗାଇବାକୁ ନିଷ୍ପତି କରାଯାଇଛି ।