ଅର୍ନ୍ତରାଷ୍ଟ୍ରୀୟ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ, ବୋର୍ଡିଂ ପୂର୍ବରୁ କରିବାକୁ ପଡିବ ଏହି କାର୍ଯ୍ୟ

217

କନକ ବ୍ୟୁରୋ : ସାରା ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାରେ ପକାଇଛି । ଏନେଇ ଭାରତ ସରକାର ଅର୍ନ୍ତରାଷ୍ଟ୍ରୀୟ ବିମାନଯାତ୍ରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏବେ ଯାତ୍ରୀମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ସମସ୍ତ ସୂଚନା ଦେବାକୁ ପଡିବ । ନୂଆ ନିର୍ଦ୍ଦେଶାବଳୀ ମୁତାବକ ବିପଦ ଥିବା ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କୁ ବୋର୍ଡିଂ ପରେ ସ୍ୱତନ୍ତ୍ର ଏକ ସ୍ଥାନରେ ଅପେକ୍ଷା କରିବା ପାଇଁ ବ୍ୟବସ୍ଥା କରାଯିବ । ଅନ୍ୟପଟେ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବି ଅଲଗା ଅଲଗା ନିୟମ ଜାରି କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ କେନ୍ଦ୍ର ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିବା ନିୟମ ମୁତାବକ ବୋର୍ଡିଂ ପୂର୍ବରୁ ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲ ମାଧ୍ୟମରେ ସମସ୍ତ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ । ଏହି ପୋର୍ଟାଲରେ ୧୪ ଦିନ ପୂର୍ବରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କର ବିବରଣୀ ରହିଛି । ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି କି ପ୍ରାୟ ୫ ପ୍ରତିଶତ ବିମାନଯାତ୍ରୀଙ୍କୁ ଯାଂଚ କରିବା ପାଇଁ ଏୟାର ଲାଇନ୍ସ ଉପଯୁକ୍ତ ପ୍ରକ୍ରିୟା ପ୍ରୟୋଗ କରିବା ଉଚିତ ।

ନିର୍ଦ୍ଦେଶରେ କୁହାଯାଇଛି କି ବିପଦ ଥିବା ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଉଚିତ ସୁବିଧା ସହ ସେମାନଙ୍କୁ ରଖିବା ପାଇଁ ସ୍ୱତନ୍ତ୍ର ହୋଲ୍ଡିଂ ଅଞ୍ଚଳ (ଯେଉଁଠାରେ ଯାତ୍ରୀମାନଙ୍କର ଆରଟି-ପିସିଆର ଯାଂଚ ପାଇଁ ଅପେକ୍ଷା କରିବାକୁ ପଡିଥାଏ) ଚିହ୍ନଟ କରାଯିବା ଆବଶ୍ୟକ । ଏହାସହ ଆବଶ୍ୟକ ମୁତାବକ ସମସ୍ତ ବିମାନ ବନ୍ଦରରେ ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯିବାର ଆବଶ୍ୟକତା ରହିଛି ।

 

ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଜିଏମଆରର ପ୍ରବକ୍ତା କହିଛନ୍ତି କି “ଆମକୁ ନୂଆ ଗାଇଡ ଲାଇନ ମିଳିଛି । ଆମେ ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଜରୁରୀ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବୁ ”