ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ରାତି ୮ଟାରୁ ସକାଳ ୬ଟା ଯାଏଁ ସବୁ କିଛି ହୋଇଥିଲା ଠପ୍

ସେପଟେ ସୁନ୍ଦରଗଡରେ ଜୋରଦାର ହୋଇଛି ସଚେତନତା କାର୍ଯ୍ୟକ୍ରମ ; ଯାଂଚ ତ୍ୱରାନ୍ୱିତ କରିଛି ପୁଲିସ

63

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଫେରିଛି ନାଇଟ୍ କର୍ଫ୍ୟୁ । ଗତକାଲି ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଥିଲା । ରାତି ୮ଟା ବେଳକୁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଥିଲା । ଗାଡି ଗମନାଗମନ ମଧ୍ୟ ବନ୍ଦ ରହିଥିଲା ।

କେବଳ ଜରୁରୀକାଳୀନ ସେବା, ଔଷଧ ଦୋକାନ ଛଡା ଅନ୍ୟ ସବୁ ବନ୍ଦ ରହିଥିଲା । ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ କମ୍ ଥିଲେ ମଧ୍ୟ ଆଗାମୀ ଦିନରେ ଦୋଳ ଓ ହୋଲି ଥିବାରୁ ଜନସମାଗମକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଥିବା କୁହାଯାଇଛି ।

ସେପଟେ ସୁନ୍ଦରଗଡ଼ରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ପରେ ଜୋରଦାର ଚେକିଂ ଆରମ୍ଭ କରିଦେଇଛି ପୁଲିସ । ସଚେତନ କରାଇବା ସହିତ କଡାକଡି ଯାଂଚ ଆରମ୍ଭ କରାଯାଇଛି । ପୁଣି ଥରେ ଲକଡାଉନ ପରିସ୍ଥିତି ସୃଷ୍ଟି ନ କରିବା ପାଇଁ, ଲୋକଙ୍କୁ ବୁଝାଇଛନ୍ତି ଏସପି ସାଗରିକା ନାଥ । ସହର ସାରା ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସଚେତନ କରୁଥିବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି ସୁନ୍ଦରଗଡ ପୋଲିସ ।