କରୋନା ନିୟନ୍ତ୍ରଣରେ ଉଦାହରଣ ପାଲଟିଲା ବଲାଙ୍ଗୀରର ଲକ୍ଷ୍ମୀ ଜୋରଖଣ୍ଡି: ବସ୍ତି ଅଂଚଳ ହୋଇଥିବାରୁ ମୁମ୍ବାଇର ଧାରାବୀ ଭଳି ସଂକ୍ରମଣ ବ୍ୟାପିବାର ଥିଲା ଆଶଙ୍କା; କଂଟେନମେଂଟ ଜୋନ ଘୋଷଣା କରି ଜୋରଦାର ହେଲା ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ

ମାସେ ଭିତରେ ହୋଇଗଲା କରୋନା ମୁକ୍ତ

205

କନକ ବ୍ୟୁରୋ: କରୋନା ନିୟନ୍ତ୍ରଣରେ ଉଦାହରଣ ପାଲଟିଛି ବଲାଙ୍ଗୀର ସହରର ହାତୀଶାଳପଡା ଲକ୍ଷ୍ମୀ ଜୋରଖଣ୍ଡି । ଜୁନା ୨୫ରେ ପ୍ରଥମ କରି ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଏହି ଅଂଚଳରେ ମାତ୍ର ୧୩ ଦିନ ମଧ୍ୟରେ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ ବଲାଙ୍ଗୀରରେ କୋକୁଆ ଭୟ ଖେଳିଯାଇଥିଲା । ଲକ୍ଷ୍ମୀ ଜୋରଖଣ୍ଡି ବସ୍ତି ଅଂଚଳ ହୋଇଥିବାରୁ ମୁମ୍ବାଇର ଧାରାବୀ ଭଳି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ବସ୍ତିରେ ସଂକ୍ରମଣ ବ୍ୟାପିବା ସହ ଆଖପାଖ ଅଂଚଳକୁ ମଧ୍ୟ କରୋନା ସଂକ୍ରମଣ ଡେଇଁ ଯିବ ବୋଲି ଆତଙ୍କିତ ହୋଇପଡିଥିଲେ ବଲାଙ୍ଗୀର ସହରର ବାସିନ୍ଦା । ହେଲେ ପ୍ରଶାସନର ସଠିକ ମୁକାବିଲା ଯୋଗୁଁ ପାଖପାଖି ମାସକ ଭିତରେ ଏବେ କରୋନା ମୁକ୍ତ ହୋଇଛି ବଲାଙ୍ଗୀର ସହରର ହାତୀଶାଳପଡା ଲକ୍ଷ୍ମୀ ଜୋରଖଣ୍ଡି ।

ଜୁନ ୨୫ରେ ଦୁଇ ପଜିଟିଭ ଚିହ୍ନଟ ପରେ ସେହି ପଡାରୁ ସ୍ୱାବ ସଂଗ୍ରହ ସହ କଂଟାକ୍ଟ ଟ୍ରେସିଂ କରାଯାଇଥିଲା । ଆଉ ସମସ୍ତଙ୍କ ଟମକେଇ ଦେଲା ଭଳି ଜୁନ ୩୦ରେ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିଲା । ସେହିପରି ଜୁଲାଇ ୮ ତାରିଖ ସୁଦ୍ଧା ଲକ୍ଷ୍ମୀ ଜୋରଖଣ୍ଡିରୁ ମୋଟ ୬୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଉଚିତ ପଦ କ୍ଷେପ ନେଇ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେଇଥିଲା । ପ୍ରଶାସନ ପ କ୍ଷରୁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟକୁ ଜୋରଦାର କରାଯାଇଥିଲା । ପାଖପାଖି ମାସେ ଭିତରେ ଲକ୍ଷ୍ମୀ ଜୋରଖଣ୍ଡି ବସ୍ତି ଏବେ କରୋନା ମୁକ୍ତ ହୋଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ।