କରୋନା କାଳ ଭିତରେ ଆସିଲା ଭଲ ଖବର : କେନ୍ଦୁଝର ବାଂଶପାଳ ବ୍ଲକ ଉପର ବୈତରଣୀର ପାହାଡ଼ ଉପରେ ଥିବା ଗାଁକୁ ଛୁଇଁନି କରୋନା

161

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଭୂତାଣୁ ରେ ଘାଂଟି ହେଉଥିବା ବେଳେ ସହରରୁ ଆରମ୍ଭ କରି ଗାଁ ଗଣ୍ଡା ସବୁଠି କରୋନା ତାଣ୍ଡବ ରଚି ସାରିଛି । ହେଲେ ଏବେ ବି ଏପରି କିଛି ଗାଁ ଅଛି ଯେଉଁଠି କରୋନାର ଭୂତାଣୁ ପହଁଚି ପାରିନାହିଁ । ଏପରି ଏକ ଗାଁ ହେଲା କେନ୍ଦୁଝର ବାଂଶପାଳ ବ୍ଲକର ଉପର ବୈତରଣୀ । ପାହାଡ ଶୀର୍ଷ ଦେଶରେ ଥିବା ଏହି ଗ୍ରାମରେ ବିକାଶ ଅପହଁଚ ଥିବା ବେଳେ କରୋନା ବି ଏ ଗାଁକୁ ଛୁଇଁ ପାରିନାହିଁ । ତେବେ କରୋନା କବଳରୁ ନିଜକୁ ବଂଚାଇ କେମିତି ରହୁଛନ୍ତି ଏହି ଅପହଁଚ ଇଲାକାର ବାସିନ୍ଦା ।

କେନ୍ଦୁଝର ବାଂଶପାଳ ବ୍ଲକର ଜୁଆଙ୍ଗ ଅଧୁସିତ ଗ୍ରାମ ଉପର ବୈତରଣୀ ପାହାଡର ଶୀର୍ଷ ଦେଶରେ ଥିବା ଏହି ଅପହଁଚ ଗ୍ରାମରେ ରହନ୍ତି ଶହେରୁ ଉର୍ଦ୍ଧ୍ୱ ଆଦିମ ଜନଜାତୀ ଜୁଆଙ୍ଗ ପରିବାର । ଏହି ଗ୍ରାମରେ ବିକାଶ ପହଁଚିବା କଷ୍ଟକର ହୋଇପଡିଥିବା ବେଳେ ଶିକ୍ଷା ଏମାନଙ୍କ ପାଇଁ ସାତ ସପନ । ତଥାପି ଏମାନେ ସାମାଜିକ ଶିକ୍ଷିତ ଏବଂ କରୋନା ସମ୍ବନ୍ଧରେ ବେଶ ସଚେତନ । ଗାଁରେ ନା ଅଛି ଗୋଟିଏ ଟେଲିଭିଜନ , ନା ପହଁଚି ପାରେ ଖବର କାଗଜ ତଥାପି ଏମାନେ କରୋନା ଭୂତାଣୁ ନିଜକୁ କେମିତି ବଂଚାଇ ହେବ ସେନେଇ ବେଶ ସଚେତନ । ଗାଁରେ ଥିବା ସମସ୍ତ ଲୋକ ନିଜକୁ ନିଜ ଗ୍ରାମ ମଧ୍ୟରେ ଆବଦ୍ଧ କରି ରଖୁଥିବା ବେଳେ ଅତି ଆବଶ୍ୟକ ନପଡିଲେ କେହି ବାହାରକୁ ଯାଆନ୍ତି ନାହିଁ । ଗ୍ରାମ ମଧ୍ୟକୁ ସେମାନେ ବାହାର ଲୋକଙ୍କୁ ପ୍ରବେଶ ମଧ୍ୟ କରାଇ ଦିଅନ୍ତି ନାହିଁ ।

ଯଦି ବା କେତେ ବେଳେ ସ୍ୱାସ୍ଥ୍ୟ ବିଭାଗ ବା ଅନ୍ୟ ବିଭାଗର କର୍ମଚାରୀ ଗ୍ରାମକୁ ଯାଆନ୍ତି ଏମାନେ ଗ୍ରାମ ମୁଣ୍ଡରେ ଏମାନଙ୍କୁ ଅଟକାଇ କଂଚା ହଳଦୀ ପାଣିରେ ହାତ ଏବଂ ଗୋଡକୁ ଭଲ ଭାବରେ ଧୁଆ କରାଇଥାନ୍ତି । ନିଜେ ସିନା କେବେ ମାସ୍କ ପିନ୍ଧି ନାହାନ୍ତି କିନ୍ତୁ ବାହାର ଲୋକଙ୍କୁ କେବେ ବିନା ମାସ୍କରେ ପୁରାଇ ଦିଅନ୍ତି ନାହିଁ । ବାହାର ଲୋକଙ୍କ ସହ ବେଶ କିଛି ସାମାଜିକ ଦୂରତା ଅବଲମ୍ବନ କରିଥାନ୍ତି । ଜୁୁଆଙ୍ଗ ଅଧୁସିତ ଅଂଚଳରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜେଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ,ଏହି ଗ୍ରାମର ବାସୀନ୍ଦାଙ୍କୁ ମଧ୍ୟ ସଚେତନତାର ମନ୍ତ୍ର ଦେଇଥିଲେ । କିନ୍ତୁ ଏହି ଗ୍ରାମବାସୀମାନେ ଏହାକୁ ଠିକ ଭାବରେ ଗ୍ରହଣ କରିଥିବାରୁ ଏମାନେ କରୋନା ମୁକ୍ତ ରହି ପାରିଛନ୍ତି ।

ଢେର ସଚେତନତା ଥାଇବି ବହୁ ଶିକ୍ଷିତ ଲୋକ କରୋନା ଭୂତାଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବେଳେ ଜୁଆଙ୍ଗ ବସ୍ତିର ବାସିନ୍ଦାମାନେ ସାରା ମାନବ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଏବଂ ସଚେତନତାର ବାର୍ତାକୁ ଠିକ ଭାବରେ ପାଳନ କରି ପାରିଲେ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ ଏହି ଶିକ୍ଷା ଏମାନେ ମାନବ ସମାଜକୁ ଦେଇ ପାରିଛନ୍ତି ।