ମୃତ ଶିକ୍ଷକଙ୍କୁ କୋଭିଡ ଦାୟିତ୍ୱ । ଘରକୁ ଆସିଲା ଚିଠି, ନବରଙ୍ଗପୁରରେ ଶିକ୍ଷା ଅଧିକାରୀଙ୍କ ଅଜବ ନୀତି ।

292

କନକ ବ୍ୟୁରୋ : ମୃତ ଶିକ୍ଷକଙ୍କୁ କୋଭିଡ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ  । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ କିନ୍ତୁ ସତ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଏପରି ଆଦେଶ ଜାରି ହୋଇଛି  । ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଂଟ୍ରୋଲ ରୁମ୍ ରହିଛି  । ବ୍ଲକର ଶିକ୍ଷକ ମାନଙ୍କୁ ୪ଟି ପର୍ଯ୍ୟାୟରେ ଏଥିରେ କାର୍ଯ୍ୟ କରିବା ପାଇଁ ଚିଠି ଜାରି ହୋଇଛି । ଶିକ୍ଷକମାନେ କଂଟ୍ରୋଲ ରୁମରେ ରହି କୋଭିଡ ଆକ୍ରାନ୍ତ ପରିବାରର ଫୋନ୍ କଲ୍ ଗ୍ରହଣ କରିବା ,ଅଭିଯୋଗ ଶୁଣିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ  ।

ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି  । ଚିଠିରେ ଉଲ୍ଲେଖ ରହିଛି ସେ ଜୁଲାଇରୁ ୨୮ ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ।  ଯାହାଙ୍କ ମୃତ୍ୟୁ ଗତବର୍ଷ  ଅଗଷ୍ଟ ୧୬ ତାରିଖରୁ ହୋଇସାରିଛି । ମୃତ ଶିକ୍ଷକଙ୍କ ପରିବାର ଏପରି ଚିଠି ପାଇବା ପରେ ଚକିତ ହୋଇପଡ଼ିଥିଲା ।  ଶିକ୍ଷକ ମେଦିନିକାନ୍ତ ମେହେରଙ୍କ ଘର ଡାବୁଗାଁ ବ୍ଲକ ମେଦନା ଗାଁରେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ତାଲିକାରୁ କାଟି ଦିଆଯାଇଛି ।