ଘରୋଇ ସଂଗରୋଧରେ ଚାଲିଗଲା ବାପାଙ୍କ ଜୀବନ : ପ୍ରଶାସନକୁ ଖବର ଦେଇ ପିପିଇ କିଟରେ ଶବକୁ ଶଶ୍ମାନ ଯାଏଁ ଆଣିଲେ ୨ ପୁଅ

ସ୍କୁଟିରେ ନେଇ ଗାଁ ଗୋଚର ଜମିରେ କଲେ ଶବ ଦାହ

264

କନକ ବ୍ୟୁରୋ : ପିପିଇ କିଟ ପିନ୍ଧି ସ୍କୁଟିରେ ଶ୍ମଶାନ ଯାଏଁ ନେଲେ ଶବ । କରୋନା ମହାମାରୀ କାଳରେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ଉଦବେଗଜନକ । ପିପିଇ କିଟ୍ ପିନ୍ଧି ବାପାଙ୍କ ଶବକୁ ସ୍କୁଟିରେ ବୋହି ନେଇଛନ୍ତି ଦୁଇ ପୁଅ । ଏଥିରେ ସହାୟତା କରିଛନ୍ତି ମୃତଙ୍କ ଜଣେ ପୁତୁରା ।

ଗୁରୁବାର ବଲାଙ୍ଗୀର ବେଲପଡା ବ୍ଲକ ସଲଣ୍ଡି ଗାଁରେ ଉଦ୍ଧବ ବେହେରାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ କରୋନାରେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଉଦ୍ଧବଙ୍କର ଆଂଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲା । ହେଲେ ଲକ୍ଷଣ ଦେଖାଦେବାରୁ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହୋଇପଡିବାରୁ ଆରଟିପିସିଆର ଟେଷ୍ଟ କରିବା ଆଉ ସମ୍ଭବ ହେଲାନାହିଁ । ପତ୍ନୀ ପଜିଟିଭ ଥିବା ବେଳେ ସ୍ୱାମୀଙ୍କର ଲକ୍ଷଣ ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଅଲଗା ରଖିଥିଲେ ।

ତେବେ ଘରେ ରହି ଚିକିତ୍ସା ପରେ ଧିରେ ସୁସ୍ଥ ହେଉଥିଲେ, କିନ୍ତୁ ୭ଦିନ ପରେ ତାଙ୍କର ଦେହାନ୍ତ ହୋଇଗଲା । ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ସରପଂଚଙ୍କୁ ପଚାରିଥିଲେ ତାଙ୍କ ପରିବାର । କିଛି ସରକାରୀ ବ୍ୟବସ୍ଥା ରହିଛି କି ବୋଲି ପଚାରିବା ସହ, ଦିନ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାର ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ।

ସେ ନିଜେ ହସ୍ପିଟାଲ କର୍ମଚାରୀ ହୋଇଥିବାରୁ ନିଜସ୍ୱ ଉଦ୍ୟମରେ ୪ଟି ପିପିଇ କିଟ୍ ଯୋଗାଡ କରି ଶବକୁ ସ୍କୁଟିରେ ବସାଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ । ଗାଁର ଏକ ଗୋଚର ଜମିରେ ଶବ ସତ୍କାର କରିଥିଲେ । ଏନେଇ ବେଲପଡା ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୃତକଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ କାମ କରୁଥିବାରୁ ସେ ମେଡିକାଲରୁ ପିପିଇ କିଟ୍ ନେଇଥିବା କହିଛନ୍ତି ।