୩୦ଦିନରେ କୋଭିଡ ମୃତ୍ୟୁ ସହାୟତା : ଅନଲାଇନ୍ କିମ୍ବା ଅଫଲାଇନ୍‌ରେ କରିପାରିବେ ଆବେଦନ

162

କନକ ବ୍ୟୁରୋ : କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାର ପ୍ରକ୍ରିୟାର ଆରମ୍ଭ କରିଛନ୍ତି । ଆସନ୍ତା ୩ତାରିଖ ପରଠାରୁ ମୃତକଙ୍କ ନିକଟତମ ସଂପର୍କୀୟ ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ ଆବେଦନ କରିପାରିବେ । ଆବେଦନର ୩୦ଦିନ ଭିତରେ ମୃତକଙ୍କ ସଂପର୍କୀୟଙ୍କୁ ଏହା ସଂପର୍କିତ ସାର୍ଟିଫିକେଟ ସହିତ ସହାୟତା ରାଶି ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ସିଡିଏମ୍‌ଓ ଓ ମହାନଗର ନିଗମ କମିସନରଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର ଚିଠି ଲେଖିଛନ୍ତି ।

କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ ସହାୟତା ରାଶି ପ୍ରଦାନ କରିବା ଲାଗି ଆଇଟି ବିଭାଗ ପକ୍ଷରୁ ଏକ ସଫ୍‌ଟୱେୟାର ପ୍ରସ୍ତୁତ କରାଯାଇଛି । ଏହି ସଫ୍‌ଟୱେୟାର ନାଁ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ (ସିଏପିଏସ୍‌) । ଏହି ସଫ୍‌ଟୱେୟାର ଜରିଆରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର ଓ ବଣ୍ଟନ କରିବେ । ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇ ଦିଆଯିବ । ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାର୍ଯ୍ୟ ଫର୍ମାଟରେ ଆବେଦନ କରିବେ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

କାଗଜପତ୍ରର ଯାଞ୍ଚ ସହିତ ମୃତକଙ୍କ ନିକଟତମ ସଂପର୍କୀୟଙ୍କ ଚିହ୍ନଟ ପାଇଁ ଏହାକୁ ସ୍ଥାନୀୟ ତହସିଲଦାରଙ୍କୁ ପଠାଯିବ । ସ୍ଥାନୀୟ ଆର୍‌ଆଇଙ୍କ ଜରିଆରେ ତହସିଲଦାର ବ୍ୟକ୍ତିଗତ ଭାବେ ମୃତକଙ୍କ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହିତ ବ୍ୟାଙ୍କ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବେ । ପରବର୍ତ୍ତୀ ସମୟରେ କାଗଜପତ୍ରକୁ ସ୍ଥାନୀୟ ଉପ ଜିଲ୍ଲାପାଳ ଯାଞ୍ଚ୍‌ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଏହାପରେ ଜିଲ୍ଲାପାଳ ସହାୟତା ରାଶି ମଞ୍ଜୁର କରିବେ । ଏଥିପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀ ଚିହ୍ନଟ ହେବା ସହିତ ତାଙ୍କ ମୋବାଇଲ ନମ୍ବର ଜଣାଇବାକୁ କୁହାଯାଇଛି ।