ସଂକ୍ରମଣ ଭିତରେ କରୋନା ପୁଣି ଲେଖିଲାଣି ‘ଶବ ଶ୍ମଶାନର’ କାହାଣୀ । କେଉଁଠି ଶବକୁ ମଶାଣୀ ମିଳୁନି, କେଉଁଠି ସଂସ୍କାର ପାଇଁ ଅପେକ୍ଷା କରିଛି ଶବ…

394

କନକ ବ୍ୟୁରୋ: ମତେ ନିଆଁ ଟିକେ ଦିଅ, ମତେ ଜାଳିପୋଡି ଦିଅ, ଜୁଇର ଡହଡହ ଜାଳରେ ମୋ ହାଡ ମାଂସକୁ ପୋଡି ପାଉଁଶ କରିଦିଅ । ମୁଁ ଜଳିଯାଏ, ତରଳିଯାଏ । ନା ଥିବ ସଂକ୍ରମଣ ଜନିତ ସନ୍ଦେହ, ନା ଥିବେ କେହି ଘୃଣା କରିବାର ମଣିଷ । ଏଠି ବ୍ୟବସ୍ଥା ବି କରୋନାରେ କବଳିତ । ସବୁ ସରକାରୀ ସୁବିଧାମାନେ ଏଠି ମୋ ପରି ଶବ ପାଲଟିଯାଇଛନ୍ତି । ତାହା ନହୋଇଥିଲେ ଅନ୍ତିମ ସଂସ୍କାର ପାଇଁ କଣ ଧାଡି କରି ଅପେକ୍ଷା କରିବାକୁ ପଡିଥାନ୍ତା । ଶବାଗାରରୁ ନେଇ ଅଳିଆ ଫିଙ୍ଗା ଗାଡିରେ ଫିଙ୍ଗାହେଉ ଥାନ୍ତା । ମଣିଷ ଶବ ପାଲଟିଗଲା ଆଉ ଶବ ସେହି ମଣିଷଠୁ ମୁକ୍ତି ଚାହୁଁଛି, ନିଆଁ ଟିକେ ପାଇଁ ନେହୁରା ହେଉଛି । ମତେ ଜାଳି ଦିଅ, ଜାଳି ଦିଅ ବୋଲି ଚିକ୍ରାର କରୁଛି । ଶବ ଏଠି ଶ୍ମଶାନ ଠିକଣା ଭୁଲିଛି…

କରୋନାର ୨ୟ ଲହର ଦୁଃଖ ପରେ ଦୁଃଖ ଆଣିଦେଉଥିବା ବେଳେ ବର୍ଷେ ତଳର ସେ କାହାଣୀ ଏବେ ଧିରେଧିରେ ପୁଣି ଆସିବାରେ ଲାଗିଛି । କରୋନା କାଳରେ ଘଟୁଥିବା କରୁଣ ଦୃଶ୍ୟର ଏବେ ପୁନରାବୃତି ହେବାକୁ ଯାଉଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଇଛି ଛତିଶଗଡରୁ ଆସିଥିବା ଏ ଦୃଶ୍ୟ । ଯେଉଁଠି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବକୁ ଅଳିଆବୁହା ଗାଡିରେ ଫିଙ୍ଗା ହୋଇଛି । କରୋନାରେ ସଂକ୍ରମିତ ହୋଇ ୪ ଜଣଙ୍କ ଜୀବନ ଯିବା ପରେ ତାଙ୍କୁ ଅଳିଆ ଭଳି ଫିଙ୍ଗାଯାଇଥିବା ଅଭିଯୋଗ ହେଉଛି । ମୃତ୍ୟୁ ପରେ ଶବକୁ ଏ କି ପ୍ରକାର ସମ୍ମାନ । ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାରୁ ଆସିଥିବା ଏ ଚିତ୍ର ସାରା ଦେଶର ବ୍ୟବସ୍ଥାକୁ ପ୍ରଶ୍ନ କରିଛି ।

ସେପଟେ ସଂକ୍ରମଣ ଜନିତ ମୃତ୍ୟୁ ଦ୍ରୁତ ଗତିରେ ବଢୁଥିବାରୁ ସାରା ଭାରତରୁ ଆସୁଛି ମୃତ୍ୟୁ ପରର ଭିଜାଭିଜା ଚିତ୍ର । କେଉଁଠି ଶବ, ନିଜ ସଂସ୍କାର ପାଇଁ ଅପେକ୍ଷା କରୁଛି । ତ କେଉଁଠି ଲମ୍ବା ଧାଡିରେ ଶୋଇ ଶବ ଶ୍ମଶାନ ଅପେକ୍ଷାରେ ପଡି ରହୁଛି । ସୁରଟରେ କରୋନା କରାଳରୂପ ଦେଖାଇଥିବା ବେଳେ ମୃତ୍ୟୁ ପରେ ଶବ ପାଇଁ ସ୍ଥାନ ନାହିଁ । ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାର ଚିତ୍ର ସତରେ ଏ ସମାଜର ଛାତିକୁ ଥରାଇ ଦେଉଛି ।

ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଶବ ଓ ଶ୍ମଶାନର କାହାଣୀ ପୁଣି ଥରେ ବିଗତ ବର୍ଷର ହୃଦୟ ବିଦାରକ କଥା ମନେପକାଇ ଦେଉଛି । ମନେପକାନ୍ତୁ ବର୍ଷେ ତଳର ସେ ଲୋମଟାଙ୍କୁରା ଦୃଶ୍ୟକୁ । ଯେତେବେଳେ କରୋନାରେ ଜଣଙ୍କ ମୃତ୍ୟୁ ହେଉଥିଲା ସେତେବେଳେ ଶବକୁ ସମ୍ମାନ ମିଳୁନଥିଲା । ଦାହ ସଂସ୍କାରର ଦୂରର କଥା ଶବକୁ ଛୁଉଁନଥିଲେ ଲୋକେ । ଯାହାର ବି ଅନ୍ୟ ରୋଗରେ ମୃତ୍ୟୁ ହେଉଥିଲା ତାକୁ କରୋନାର ମୃତ୍ୟୁ କହି ଲୋକେ ନାକ ଟେକୁଥିଲେ, ସନ୍ଦେହ କରି ପାଖ ମାଡୁନଥିଲେ । ଏମିତି କି ବାପାର ଶବକୁ ପୁଅ କାନ୍ଧ ଦେଉନଥିଲା । ପିପିଇ କିଟ୍ ପିନ୍ଧି ସ୍ତ୍ରୀ ନିଜ ସ୍ୱାମୀର ଶବରେ ମୁଖାଗ୍ନି ଦେଉଥିଲା ତ କେବେ ଅଳିଆଗଦାରେ ପଡୁଥିଲା ଗରିବର ଶବ । ଏମିତି ଅନେକ ଚିତ୍ର ବର୍ଷେ ତଳେ ହୃଦୟକୁ ବିଦାରି ଦେଇଛି । ଆଉ ଏବେ ବର୍ଷେ ପରେ ପୁଣି ଥରେ ଧିରେଧିରେ ସାମ୍ନାକୁ ଆସୁଛି ସେମିତି କିଛି ସାଙ୍ଘାତିକ ଚିତ୍ର ଯେଉଁଠି ମଣିଷକୁ ଶବ ପଚାରୁଛି ପୁଳାପୁଳା ପ୍ରଶ୍ନ ।