ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : କରୋନା କଟକଣା ସତ୍ତ୍ୱେ ଲୋକେ ଭସାଇଲେ ଡଙ୍ଗା

332

କନକ ବ୍ୟୁରୋ : ଆ-କା-ମା- ବୈ .. , ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର .. । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ପୁରାଣ ଅନୁସାରେ ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ – ଏହି ଚାରି ମାସ ବର୍ଷର ପୂଣ୍ୟମାସ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ବୋଲି କୁହାଯାଏ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୁଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଭୋରରୁ ସ୍ନାନ କରିବାଠୁ ସଂଧ୍ୟାରେ ଆକାଶଦୀପ ଦେବାଯାଏଁ ସବୁଥିରେ ଧାର୍ମିକ ମହାତ୍ମ୍ୟ ରହିଛି । ଶେଷ ପାଂଚ ଦିନକୁ ପଂଚୁକ ଭାବେ ପାଳନ କରାଯାଏ ।

କିନ୍ତୁ ‘ଆ-କା-ମା-ବୈ’ ଚାରିମାସର ପ୍ରସିଦ୍ଧି ଶାସ୍ତ୍ର ଓ ପାରମ୍ପରିକ ରୀତିନୀତିରେ ଥିଲେ ମଧ୍ୟ, କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଅନେକେ ‘ଆ-କା-ମା-ଭୈ’ କହିଥାଆନ୍ତି। ଏହିଦିନ ପ୍ରତ୍ୟୁଷରେ ସୋଲ ବା କଦଳୀ ପଟୁକାରେ ତିଆରି ଡଙ୍ଗାରେ ଦୀପ ଜାଳି, ସେଥିରେ ଗୁଆ, ପାନ, ଅକ୍ଷତ (ଗୋଟା ଅରୁଆ ଚାଉଳ) ଓ ରାଶି ମିଶ୍ରିତ ପଞ୍ଚଶସ୍ୟ ରଖି, ତାହାକୁ ନଦୀ, ପୁଷ୍କରିଣୀ ବା ସମୁଦ୍ର ଆଦିରେ ଭସାଯାଏ । ଡଙ୍ଗା ଭସାଇବାବେଳେ ବୋଲାଯାଏ, ‘‘ଆ-କା-ମା-ବୈ / ପାନ-ଗୁଆ ଥୋଇ / ପାନ-ଗୁଆ ତୋର / ମାସକ ଧରମ ମୋର।’’ କିନ୍ତୁ ଅନେକେ, ଡଙ୍ଗାଭସା ବେଳେ ‘ଆ-କା-ମା-ବୈ’ ପରିବର୍ତ୍ତେ ‘ଆ-କା-ମା-ଭୈ’ ବୋଲିଥାଆନ୍ତି ।

ଏହି ‘ଆ-କା-ମା-ଭୈ’ ବୋଲାଯିବା ସପକ୍ଷରେ ଗୋଟିଏ ମତ ହେଉଛି- ‘ଆ’ର ଅର୍ଥ ଆକାଶ ଏବ˚ ‘କା’ର ଅର୍ଥ ଜଳ। ‘ମା-ଭୈ’ର ଅର୍ଥ ଭୟ ନାହିଁ। ଅର୍ଥାତ୍‌ ପାଣି ଆଉ ପବନକୁ ଭୟ ନାହିଁ । ଆଉ ଗୋଟିଏ ମତରେ ଏହା ମଧ୍ୟ କୁହାଯାଇଛି- ଆମ ସାଧବପୁଅ ସାମୁଦ୍ରିକ ନୌବାଣିଜ୍ୟରେ ଦରିଆପାରି ଦେଶକୁ କାର୍ତ୍ତିକ ପୂର୍ଣ୍ଣିମାରେ ଯାଇ, ଆଦ୍ୟ ଆଷାଢ଼ରେ ଫେରି ଆସୁଥିଲେ । ଏଣୁ ‘ଆ-କା-ମା-ଭୈ’ର ଅର୍ଥ- ଆଷାଢ଼ ଓ କାର୍ତ୍ତିକରେ ଭୟ ନାହିଁ । ସେହି ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟର ସ୍ମୃତିରେ, କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା ବେଳେ ‘ଆ-କା-ମା-ଭୈ’, ବୋଲାଯାଇଥାଏ । ତେବେ, ଏ ତିନିଟି ମଧ୍ୟରୁ ଯେଉଁଟି ବି ଗ୍ରହଣୀୟ ହେଉ ନା କାହିଁକି, ‘ଆ-କା-ମା-ବୈ’ ଓ ‘ଆ-କା-ମା-ଭୈ’ ଦୁଇଟି ଯାକ ଆମ ପରମ୍ପରା ଓ ରୀତିନୀତିର ଅଙ୍ଗ ହୋଇଯାଇଛି ।

ଆଜି ଏହାର ଶେଷ ଦିନ । ବୈଷ୍ଣବ ନୀତି ଅନୁସାରେ ଆଜି ଦିନକୁ ରାସପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଅନ୍ୟପଟେ ଏହି ଦିନରେ ପୁରୁଣା ଉକ୍ରଳୀୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ସକାଳୁ ସକାଳୁ ଗାଁରୁ ସହର ସବୁଠି ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ସତ୍ତ୍ୱେ ଲୋକେ ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସାଇବାର ଦେଖିବାକୁ ମିଳିଛି । କୁଆଖାଇ ନଦୀ ଘାଟ ଗୁଡ଼ିକରେ ୧୪୪ ଧାରା ଲାଗିଛି । ଡ଼ଙ୍ଗା ଭସାଇବାକୁ ମନା କରାଯାଇଛି । ରାତି ୩ଟାରୁ ପୋଲିସ ଜଗିଥିଲେ ବି କିଛି ଦୁରରେ ଥିବା ନଦୀ କୂଳରେ ଲୋକେ ଡ଼ଙ୍ଗା ଭସାଇଛନ୍ତି । ସେହିପରି ସମୁଦ୍ରକୂଳରେ ମଧ୍ୟ ଲୋକେ କଟକଣା ନମାନି ଡ଼ଙ୍ଗା ଭାସାଇଥିବା ଦେଖିବାକୁ ମିଳିଛି ।