ଦିନେ ପଡିଆରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ସୁନାମ । ଆଜି ପେଟ ପାଇଁ ପେଟ୍ରୋଲ ପମ୍ପରେ କରୁଛନ୍ତି ସଙ୍ଘର୍ଷ…

190

କନକ ବ୍ୟୁରୋ: ଫୁଟବଲ ପଡିଆରୁ ପେଟ୍ରୋଲ ପମ୍ପ୍ । ସେଲସମ୍ୟାନ ସାଜିଲେ ଓଡିଶାର ଗୌରବ । ଦିନେ ପଡିଆରେ ଫୁଟବଲକୁ କିକ୍ ପରେ କିକ୍ କରୁଥିଲ… ବୀଚକ୍ଷଣ ଖେଳ ଖେଳି ପ୍ରତିପକ୍ଷଙ୍କୁ ଗୋଲ୍ ପରେ ଗୋଲ ଦେଉଥିଲେ । ପଡିଆରେ ଫୁଟବଲ ଗଡିବା ପରି, ସମୟ ସହ ତାଳ ଦେଇ ଗଡୁଥିଲା ଗୁଡିଙ୍କ କ୍ୟାରିୟର । ଆଉ ସଫଳତା ବି ପାଦ ଛୁଉଁଥିଲା । ସେଇଥିପାଇଁ ତ ଏ ମାଳମାଳ ମେଡାଲ, ପୁଳାପୁଳା ପ୍ରମାଣପତ୍ର ଘରେ ଶୋଭାପାଉଛି । ହେଲେ ଏତେ ସୁନାମ ପରେ ବି ସଙ୍ଘର୍ଷରେ ଜିଇଁବାକୁ ପଡୁଛି । ପରିବାରର ପେଟ ପୋଷିବାକୁ ପେଟ୍ରୋଲ ପମ୍ପରେ ସେଲସମ୍ୟାନ ସାଜିବାକୁ ପଡିଛି ଜାତୀୟ ସ୍ତରର ଫୁଟବଲ ଖେଳାଳୀ ଗୁଡି ତିର୍କୀ ।

ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଅଞ୍ଚଳର ଗୁଡି ତିର୍କୀ ଜଣେ ଦକ୍ଷତା ସମ୍ପନ୍ନ ଫୁଟବଲ ଖେଳାଳୀ । ଦିନ ଥିଲା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବା ସହ ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପିଲାଟି ବେଳୁ ଫୁଟବଲ ପ୍ରତି ଅହେତୁକ ଆଗ୍ରହ ଥିବାରୁ ସେ ଖେଳରେ ମନଦେଉଥିଲେ ଆଉ ପରିବାର, ସ୍ଥାନୀୟ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ଗୁଡି ଗୋଟେ ପରେ ଗୋଟେ ସଫଳତାର ଶିଢି ଚଢିଚାଲିଥିଲେ । ଆଉ ନିଜ ମାଟି ସହ ପୂରା ରାଜ୍ୟ ପାଇଁ ବି ଗର୍ବ ଓ ଗୌରବ ଆଣିପାରିଥିଲେ ।

ହେଲେ ଏବେ ପେଟ୍ରୋଲ ପମ୍ପରେ ନିଜ ଭବିଷ୍ୟତ ଗଢୁଛନ୍ତି ପଡିଆର ଫୁଟବଲ ରାଣୀ । ଆର୍ଥିକ ଅନଟନ ହେଲୁ ଆତି ତାଙ୍କୁ ଫୁଟବଲ ଛାଡି ପେଟ୍ରୋଲ ପମ୍ପରେ ଛିଡା ହେବାକୁ ପଡିଛି । କରୋନା କଟକଣା ପାଇଁ ଯେତେବେଳେ ପରିବାରର ଆର୍ଥିକ ସ୍ଥିତି ଦୋହଲିଗଲା ଆଉ ବାପାଙ୍କ ଦୋକାନରେ ତାଲାବନ୍ଦର ପ୍ରଭାବ ପଡିଲା ସେତେବେଳେ ଘରର ବୋଝକୁ ନିଜ କାନ୍ଧକୁ ନେଇଥିଲେ ଗୁଡି । ପରିବାରର ଲୋକଙ୍କ ପେଟରେ ଦାନାଗଣ୍ଡେ ଦେବାକୁ ସେ ବାହାରିଥିଲେ କାମଧନ୍ଦା ପାଇଁ । ଆଉ ଗତ ୨ ବର୍ଷ ହେଲା ବିରମିତ୍ରପୁରର ଏକ ପେଟ୍ରୋଲ ପମ୍ପରେ ସେଲସମ୍ୟାନ ଭାବେ କାମ କରୁଛନ୍ତି ଗୁଡି ।

ସ୍ୱପ୍ନଟିଏ ଦେଖିବାକୁ ସୁନ୍ଦର ଘରଟିଏର ଆବଶ୍ୟକତା ନାହିଁ କି କୋଠା ଘର ଲୋଡା ନାହିଁ । ଚାଳ ଛପରର ଖପରା ଘରୁ ବି ଦେଖିହୁଏ ସ୍ୱପ୍ନ. ସତ କରିହୁଏ ସ୍ୱପ୍ନ । ଏଇ ଯେମିତି ମାଟି କାନ୍ଥର ଖପରା ଘରୁ ଖେଳ ଦୁନିଆର ଫୁଟବଲ ରାଣୀ ହେବାର ସ୍ୱପ୍ନ ଦେଖିଛନ୍ତି ଗୁଡି । ଆଉ ତାଙ୍କ ସ୍ୱପ୍ନକୁ କବଳିତ କରିଛି କରୋନାର କଟକଣା । ଯେଉଁଥିପାଇଁ ବାଧ୍ୟ ହୋଇ ପେଟ୍ରୋଲ ପମ୍ପରେ ତେଲ ଲୁଣ ପାଇଁ ପରିଶ୍ରମ କରୁଛନ୍ତି ଜାତୀୟ ସ୍ତରର ଫୁଟବଲ ଖେଳାଳୀ । ତେବେ ଦିନେ ଯିଏ ରାଜ୍ୟ ପାଇଁ ଗୌରବ ଆଣୁଥିଲା, ସୁନାଝିଅ ପାଲଟିଥିଲା । ତାଙ୍କୁ ଅସମୟରେ, ତାଙ୍କ ଦୁଃଖର ସମୟରେ ସରକାର ସାହାଯ୍ୟ କରିବାର ଆବଶ୍ୟକତା ନାହିଁ କି ?