କନକ ବ୍ୟୁରୋ: ଗୋଟିଏ ସପ୍ତାହ ହେଲା ଲଗାତାର ଭାବେ ଦେଶରୁ ଦୈନିକ ୩ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୨ ତାରିଖରେ ଅର୍ଥାତ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସାରାଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ବୁଧବାର ସର୍ବାଧିକ ୩ଲକ୍ଷ ୬୦ ହଜାର ୯୬୦ରେ ପହଁଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୬ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଉତରପ୍ରଦେଶରୁ ପ୍ରାୟ ୩୩ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଦେଶରେ ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଫୋକସରେ ରହିଛି ୧୫୦ଟି ଜିଲ୍ଲା । ଏହି ଜିଲ୍ଲାରେ କରୋନା ପଜିଟିିଭିଟି ରେଟ୍ ୧୫ % ଉପରେ ରହିଛି । ସଂକ୍ରମଣ ହାର ଅଧିକ ରହୁଥିବାରୁ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗଡି ଗଲାଣି । ପରିସ୍ଥିିିିତିକୁ ନଜରରେ ରଖି ଏହି ସସସ୍ତ ଜିଲ୍ଲାରେ ଲକଡାଉନ ଲଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ମଙ୍ଗଳବାର ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ୧୫୦ ଜିଲ୍ଲାରେ କେତେକ ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ସେବା ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଲକଡାଉନ ଲଗାଇବା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ନିଷ୍ପତି ନେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି, କରୋନା ସ୍ଥିତିର ଅନୁଧ୍ୟାନ ପରେ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି, ସେହି ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।
ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଦେଶରେ ବଢ଼ି ଚାଲିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ସୁଦ୍ଧା ଦେଶରେ ୨୯ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛି । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ,କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ ଓ ତାମିଲନାଡୁରେ ମୋଟ ସଂକ୍ରମିତଙ୍କ ସଂଖ୍ୟାର ୬୯ ପ୍ରତିଶତ ରହିଛନ୍ତି । ଏଥିସହ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦିନକରେ ୩ ହଜାର ୨୯୩ ଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧ ହଜାର ୧୮୭ରେ ପହଁଚିଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ ଲୋକଙ୍କର ଜୀବନ ନେଇଛି ମହାମାରୀ ।