କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ କରୋନା ମିଟର । ଚଳିତ ମାସ ପହିଲାରେ ରାଜ୍ୟରେ ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ମାତ୍ର ୧୧ ଦିନ ପରେ ଆଜି ଏହି ସଂଖ୍ୟା ୯ ହଜାର ମୁହାଁ ହୋଇଛି । ଏପରିକି ଆଜି ୬୭ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିବ ବୋଲି ସତର୍କ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଆଶ୍ୱସ୍ତିକର କଥା ହେଉଛି ଅଧିକାଂଶ ସଂକ୍ରମିତ ଗୁରୁତର ହେଉନାହାଁନ୍ତି । ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଫଳରେ ହସ୍ପିଟାଲ ଉପରେ ଚାପ କମ ରହିଛି ।

Advertisment

ତାରିଖ                          ସଂକ୍ରମଣ                     ପରୀକ୍ଷା
ଜାନୁଆରୀ ୧୨               ୮୭୭୮                    ୭୪,୬୧୧
ଜାନୁଆରୀ ୧୧               ୭୦୭୧                    ୬୯,୦୧୮
ଜାନୁଆରୀ ୧୦               ୪୮୨୯                    ୭୪,୩୦୪
ଜାନୁଆରୀ ୯                  ୪୭୧୪                    ୭୦,୨୦୦
ଜାନୁଆରୀ ୮                  ୩୬୭୯                    ୭୧,୪୩୨

ଗତକିଛି ଦିନ ହେଲା ଲଗାତାର ଭାବେ ଉପର ମୁହାଁ ରହିଛି ସଂକ୍ରମଣର ଗ୍ରାଫ୍ । ମାସ ପହିଲାରେ ମାତ୍ର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସଂଖ୍ୟା ମାତ୍ର ୧୧ ଦିନ ପରେ ୯ ହଜାର ମୁହାଁ ହୋଇଛି । ଶେଷ ୨୪ ଘରେ ରାଜ୍ୟରୁ ୮ହଜାର ୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟର ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର ୧୧ ପ୍ରତିଶତକୁ ଟପିଯାଇଛି । ୧୨ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୩୬ ହଜାର ୭୦୫ ନୂଆ ଆକ୍ରାନ୍ତ । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିବ ବୋଲି ସତର୍କ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, କଟକ । ରାଜ୍ୟରେ କରୋନା ମିଟର ଉପରମୁହାଁ ଥିବାବେଳେ ଚିନ୍ତା ବଢ଼ାଇଛନ୍ତି ୪ ଜିଲ୍ଲା । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ଓ କଟକ ରେଡ୍ ଜୋନରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୧୧ ହଜାର ସକ୍ରିୟ ସଂକ୍ରମିତ ରହିଥିବାବେଳେ ସୁନ୍ଦରଗଡରେ ୫,୨୨୫, ସମ୍ବଲପୁରରେ ୩,୦୬୫ ଓ କଟକରେ ୨,୬୭୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ,ସମ୍ବଲପୁର, ଝାରସୁଗୁଡା, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର ଓ ଗଜପତି ଟିପିଆର ଅଧିକ ଯୋଗୁଁ ରେଡ୍ ଜୋନରେ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲାର ଟିପିଆର ରେଟ୍ ସର୍ବାଧିକ ୨୮.୧, ଖୋର୍ଦ୍ଧାର ୨୦.୨, ସମ୍ବଲପୁରରୁ ୧୯.୪ ରହିଛି ।

ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ବି ଅଧିକାଂଶ ସଂକ୍ରମିତ ଗୁରୁତ୍ୱର ହେଉନାହାନ୍ତି । ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଯାହାଫଳରେ ହସ୍ପିଟାଲ ଉପରେ ଚାପ କମ ରହିଛି । ନଜର ପକାନ୍ତୁ ରାଜ୍ୟର କୋଭିଡ୍ ହସ୍ପିଟାଲରେ କଣ ରହିଛି ବେଡ୍ ସ୍ଥିତି..
- ରାଜ୍ୟରେ ଉପଲବ୍ଧ ଅଛି ୬ହଜାର ୧୬୪ କରୋନା ବେଡ୍
- ଅକ୍ତିଆର ହୋଇଛି ୪୧୨ ବେଡ୍ ଅର୍ଥାତ ୬.୬୮%
- ଶିଶୁଙ୍କ ପାଇଁ ରହିଛି ମୋଟ୍ ୧ ହଜାର ୮୮ ବେଡ୍
- ଅକ୍ତିଆର ହୋଇଛି ୧୧ ଟି ବେଡ୍ ଅର୍ଥାତ ୧.୦୧%
-ଆଇସିୟୁ ବେଡ ରହିଛି ୨ହଜାର ୨୧୪
- ଆଇସିୟୁ ବେଡ୍ ଅକ୍ତିଆର କରିଛନ୍ତି ୩୧୮ ଅର୍ଥାତ ୧୪.୩୬%
- ୭୪୪ ଭେଣ୍ଟିଲେଟର ବେଡରୁ ୨୩ଜଣଙ୍କୁ ରଖାଯାଇଛି

ଆଗକୁ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ବିଭିନ୍ନ ମଡେଲ ଆକଳନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସତର୍କ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଅତି କମ୍ରେ ୪୮ ଘଂଟା ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।