ପୁଣି ଫେରୁଛି ଲକଡାଉନ । ଗତ ୨୪ ଘଂଟାରେ ଦେଶରୁ ୪୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ ।

754

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ଚଳିତ ବର୍ଷର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେଲା ଏହି ସଂଖ୍ୟା ଲଗାତାର ବଢୁଥିବାବେଳେ ଆଜି ୪୩ ହଜାର ୮୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି । ବିଶେଷକରି ୬ଟି ରାଜ୍ୟ, ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ର ବେଗରେ ମାଡିଚାଲିଛି । ଦେଶ ତୁଳନାରେ ଏହି ୬ଟି ରାଜ୍ୟରେ ୮୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସେପଟେ ଛତିଶଗଡ ସରକାର ଆଜି କଡା ପଦକ୍ଷେପ ନେଇ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏକ ଘଟଣାକ୍ରମରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ଓଡିଶାରେ ଗତ ୨୪ ଘଂଟାରେ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଅଧିକ ଖୋର୍ଧା ଜିଲ୍ଲାରୁ ୧୫ ଏବଂ କଟକରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୯ରେ ପଂହଚିଛି । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରତ୍ୟେକ ରବିବାର ଦିନ ଲକଡାଉନ ଘୋଷଣା କରାଯାଇଛି । ଏହିସବୁ ସହରରେ ୩୧ ମାର୍ଚ୍ଚ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି ।