ଓଡିଶାରେ ହଠାତ୍ ବଢିଲା କୋଭିଡ୍ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୭୯୧ ଆକ୍ରାନ୍ତ ଚିହ୍ନଟ । ସେପଟେ ପଶ୍ଚିମ ଓଡିଶା ବୁଲିଲେ ଉନ୍ନୟନ କମିଶନର

198

କନକ ବ୍ୟୁରୋ: ହଠାତ ଓଡିଶାରେ କୋଭିଡ୍ ସଂକ୍ରମଣ ହାର ବଢି ଯାଇଛି । ରାଜ୍ୟରେ ମଙ୍ଗଳବାର ୫୮୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ବୁଧବାର ଚିହ୍ନଟ ହୋଇଛନ୍ତି ୭୯୧ ଜଣ । ସବୁ ଜିଲ୍ଲା ମଧ୍ୟରେ ସୁନ୍ଦରଗଡରେ ପରିସ୍ଥିତି ଉଦବେଗଜନକ ରହିଛି । ଏଠାରେ ୧୪୭ଜଣ ଟିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୧୮ଜଣ । ସବୁଠାରୁ ବଡ ଚ୍ୟାଲେଂଜ ହୋଇଛି, କରୋନା ଚେନକୁ ଭଙ୍ଗାଯିବ କେମିତି ? ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୭ ତାରିଖରୁ ୧୭ ତାରିଖ ଯାଏଁ କଟକଣା ଅଭିଯାନକୁ ଜୋରଦାର କରାଯାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ରାଜ୍ୟର ୧୦ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ କଡାକଡି ହେବ ନାଇଟ କର୍ଫ୍ୟୁ । ରାତିରେ କ୍ଲବ ଓ ପାର୍ଟିରେ ହେଉଥିବା ଗହଳିକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଅନ୍ୟପଟେ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ସଂକ୍ରମଣ ବଢୁଥିବାରୁ ଏହା ଏବେ ସମ୍ବେଦନଶୀଳ ସ୍ଥାନ ପାଲଟିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗସ୍ତରେ ଯାଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ଝାରସୁଗୁଡା ଏବଂ ସୁନ୍ଦରଗଡରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ।

ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକା ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ ରାଜ୍ୟରେ ଟିକାର ଅଭାବ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଟିକାର ଅଭାବ କାରଣରୁ ୪୦୦ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । କେନ୍ଦ୍ରକୁ ଚିଠି ଓ ମେଲ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ଆସିନାହିଁ । ୨ଦିନ ମଧ୍ୟରେ କୋଭିସିଲଡ ଟିକା ନଆସିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ କୋଭିଡ କଟକଣା ଉଲ୍ଲଙ୍ଘନ କରିବା କାରଣରୁ ଅକ୍ସଫର୍ଡ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଂଟର ପଳାସପଲି ଅଫିସକୁ ସିଲ କରିଛି ବିଏମସିର ଏନଫୋର୍ସମେଂଟ ଟିମ । ସମାନ କାରଣରୁ ରାମ ମନ୍ଦିରର ଫଙ୍ଗସନ ହଲକୁ ମଧ୍ୟ ସିଲ କରିଦିଆଯାଇଛି । ସେହିପରି ଟିକାର ଅଭାବ, କରୋନା କଟକଣା ନେଇ କଡା ଚେକିଂ ଭିତରେ କିନ୍ତୁ କୋରାପୁଟର କୋଟିଆରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଟିକାଦାନ । ଟିକା ନେବାକୁ ନେଇ ସେଠାକାର ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ।