କନକ ବ୍ୟୁରୋ: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ ହେଲେ ଦିନକୁ ଦିନ କମୁଛି କରୋନା ଟେଷ୍ଟ । ଗୋଟିଏ ପଟେ କରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ସ୍ୱାବ୍ ଟେଷ୍ଟ କରିବା ପାଇଁ ସରକାର କହୁଥିବାବେଳେ ଏବେ ଏହା କମିବାରେ ଲାଗିଛି । ଏହାକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ତେବେ ଆଇସିଏମଆର ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ।
ବଢୁଛି କରୋନା ସଂକ୍ରମଣ...କମୁଛି କରୋନା ପରୀକ୍ଷା...କରୋନା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନଥିବାରୁ ସଂକ୍ରମଣକୁ ରୋକିବାକୁ ସରକାରଙ୍କ ରଣନୀତି ଥିଲା ଟେଷ୍ଟ, ଟ୍ରେସିଂ ଆଣ୍ଡ ଟ୍ରିଟମେଂଟ । ଅର୍ଥାତ୍ କରେନା ଟେଷ୍ଟକୁ ବ୍ୟାପକ କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା, ରୋଗୀଙ୍କୁ କୋଭିଡ ମେଡିକାଲରେ ଚିକିତ୍ସା କରିବା, କଂଟାକ୍ଟ ଟ୍ରେସିଂ କରି ସଂଦିଗ୍ଧଙ୍କୁ ସଙ୍ଗରୋଧରେ ରଖିବା ସହ ସଂକ୍ରମିତ ଅଂଚଳକୁ କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳ କରି ସଂକ୍ରମଣକୁ ଅଟକାଇବା । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରତିଦିନ ୧୫ ହଜାର କୋଭିଡ୍ ଟେଷ୍ଟ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ପରବର୍ତୀ ସମୟରେ ଠିକ୍ ଓଲଟା ସ୍ଥିତି ଦେଖିବାକୁ ମିଳିଛି । ଦିନକୁ ଦିନ କମିଚାଲିଛି କରୋନା ପରୀକ୍ଷା । ନଜର ପକାନ୍ତୁ ଗତ ୭ ଦିନର କୋଭିଡ୍ ଟେଷ୍ଟ ଉପରେ
ଜୁନ ୬ – ୩୪୭୭
ଜୁନ ୭ – ୩୩୧୭
ଜୁନ ୮ – ୨୯୬୯
ଜୁନ ୯ – ୩୦୨୬
ଜୁନ ୧୦ – ୩୩୩୩
ଜୁନ ୧୧ – ୩୮୮୩
ଜୁନ ୧୨ – ୩୮୮୦
ମେ’ ମାସ ୨୩ ତାରିଖରେ ୫,୩୮୮ କୋଭିଡ୍ ଟେଷ୍ଟ ହୋଇଥିଲା । ଏହା ପର ଠାରୁ ଆଉ ୫ ହଜାର ସଂଖ୍ୟା ଟପି ପାରିନାହିଁ କରୋନା ପରୀକ୍ଷା ।ରାଜ୍ୟରେ କରୋନା ସଂକ୍ରମଣର ହାର ବଢୁଥିବାବେଳେ, ନମୁନା ପରୀକ୍ଷା କାହିଁକି କମୁଛି, ଏହି ପ୍ରଶ୍ନର ଗୋଟିଏ ଉତର ମିଳୁଛି । ଆଇସିଏମଆର ଗାଇଡଲାଇନ ଆଧାରରେ କରେନା ପରୀକ୍ଷା ହେଉଛି । ସେପଟେ କରୋନା ପରୀକ୍ଷା ହ୍ରାସ ପାଉଥିବାରୁ କ୍ଷୋଭ ପ୍ରକାଶ ପାଇଛି । ୨ ହଜାର ପରୀକ୍ଷା କରିବା ଏବେ କଷ୍ଟକର ହେଉଥିବା ବେଳେ କାର୍ହିକି କୋବାସ ମେସିନ୍ ଫେରାଇ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।
ଜୁନ ୧ରୁ ଜୁନ ୧୨ ତାରିଖ ମଧ୍ୟରେ ରାଜ୍ୟରେ ୩୬,୮୮୯ କୋଭିଡ୍ ପରୀକ୍ଷା ହୋଇଥିବା ବେଳେ ଦୈନିକ କରୋନା ପରୀକ୍ଷା ହାର ମାତ୍ର ୩,୦୭୪ । ଆଉ ଏହି ସମୟ ମଧ୍ୟରେ ୧୪୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ହାର ୪ ପ୍ରତିଶତରୁ ଅଧିକ ହୋଇଛି ।