କନକ ବ୍ୟୁରୋ : ଲମ୍ବା ଡିଆଁ ଦେଉଛି କରୋନା । ମାତ୍ର ୭ ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟ ସାଢ଼େ ତିନିଗୁଣ ବଢ଼ିଥିବାବେଳେ ଦେଶରେ ପାଂଚ ଦିନରେ ତିନି ଗୁଣ ବଢ଼ିଛି । ବିଶେଷକରି ମୁମ୍ବାଇ, ଦିଲ୍ଲୀ ଓ କୋଲାକାତା ଭଳି ମେଟ୍ରୋସିଟିରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ୨୪ଘଂଟାରେ ମହାରାଷ୍ଟ୍ରରେ ଆଜି ୧୨ ହଜାର ନୂଆ ସଂକ୍ରମିତ ଚହ୍ନଟ ହୋଇଛନ୍ତି । ସେଥିରୁ କେବଳ ମୁମ୍ବାଇରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ୩୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଲକାତାରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ଦିନକରେ ୬ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିହାର ରାଜଧାନୀ ପାଟଣା ଏନଏମସିଏଚ୍ ହସ୍ପିଟାଲରେ ୮୪ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୦୦ ଡାକ୍ତରଙ୍କ ନମୁନାର ଆରଟିପିସିଆର ଯାଂଚ କରାଯାଇଥିଲା । ସେଥିରୁ ୮୪ ଡାକ୍ତରଙ୍କର ନମୁନା ପଜିଟିଭ୍ ଆସିଛି ।

ବିଗତ ୮ ଦିନ ମଧ୍ୟରେ ଏହି ତିନି ସହରରେ ହୋଇଥିବା ନୂଆ ସଂକ୍ରମଣର ଏକ ଆକଳନରୁ ଜଣାପଡ଼ିଛି ଯେ ୨୫ରୁ ୨୯ ଆୟୁବର୍ଗର ଅଧିକାଂଶ ସଂକ୍ରମିତ ହେଉଛନ୍ତି । ପ୍ରଥମ ଲହରରେ ୫୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକେ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ୩୫ରୁ ୪୦ ବର୍ଷର ଲୋକେ ଅଧିକ ସଂଖ୍ୟାରେ ପ୍ରଭାବିତ ହୋଇଥିଲେ । ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଭୟ ସୃଷ୍ଟି କରିଛି । ସଂକ୍ରମଣ ହାର ୪.୫୯ ପ୍ରତିଶତରେ ପହଞ୍ଚି ଥିବାରୁ ଆଗକୁ ଏହା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି ।

କେରଳରେ ପ୍ରାୟ ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଟେଷ୍ଟିଂ ଓ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି । ମୁମ୍ବାଇରେ ଦ୍ରୁତ ସଂକ୍ରମଣ ଜାରି ରହିଛି ଏବଂ ଯୁବ ବର୍ଗରୁ ଅଧିକାଂଶ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ମୁମ୍ବାଇରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଯୁଦ୍ଧସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି ।