ସହରରେ କମୁଛି, ଗାଁରେ ବଢ଼ୁଛି ସଂକ୍ରମଣ  । ଗ୍ରାମାଞ୍ଚଳରେ ସଂକ୍ରମଣ ଯୋଗୁଁ ବଢ଼ୁଛି କଣ୍ଟେନମେଣ୍ଟ ଜୋନର ସଂଖ୍ୟା । ଚିନ୍ତା ବଢ଼ାଉଛି ବାତ୍ୟା ପ୍ରଭାବିତ ଜିଲ୍ଲା  

284

କନକ ବ୍ୟୁରୋ : ସହରରେ କମୁଛି, ଗାଁରେ ବଢ଼ୁଛି ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ କମୁଥିଲେ ଗ୍ରମାଂଚଳରେ ବଢ଼ି ଚାଲିଛି ସଂକ୍ରମଣ । ଗତ ଏପ୍ରିଲ ମାସରେ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ପ୍ରାୟ ୫୦ ପ୍ରତିଶତ ଥିବା ବେଳେ ଏହା ବଢ଼ି ୫୭ପ୍ରତିଶତରେ ପହଞ୍ଚିଛି । ଢ଼େଙ୍କାନାଳ ଜିଲ୍ଲାର ଗ୍ରାମାଂଚଳରେ ସର୍ବାଧିକ ୩୭ ପ୍ରତିଶତ ପଜିଟିଭ ରିପୋର୍ଟ ଆସିଥିବା ବେଳେ ହିନ୍ଦୋଳ ବ୍ଲକର ଗୋଟିଏ ଗାଁରେ କେବଳ ୯୬ ଜଣ ପଜିଟିଭ ଆସିଛନ୍ତି ।

ସେହିପରି ପରଜଙ୍ଗ ବ୍ଲକର ଆଉ ଏକ ଗାଁରେ ୮୨ ଜଣ ଏବଂ କାମାକ୍ଷାନଗର ଗୋଟିଏ ଗାଁରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଯେଉଁ ଗାଁରେ ୧୦ଜଣରୁ ଅଧିକ କରୋନା ପଜିଟିଭ ଅଛନ୍ତି ସେଠାରେ କଂଟେନମେଂଟ ଜୋନ କରାଯାଉଛି । ସେହିପରି ବାତ୍ୟା ପ୍ରଭାବିତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମାଂଚଳରେ ମଧ୍ୟ କରୋନା ସଂକ୍ରମଣ ବଢ଼ି ଯାଇଛି । ଏରସୋମା ବ୍ଲକର ୩ଟି ଗାଁକୁ ଜୁନ ୪ ତାରିଖ ଯାଏଁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୧୩ଟି ଗାଁରେ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ୨ ଦିନରେ ଏହି ୧୩ଟି ଗାଁରେ ୫୫୦ଜଣ କରୋନା ପଜିଟିଭ ଆସିଛନ୍ତି । ବାଲେଶ୍ୱର ଓ ବାରିପଦା ଜିଲ୍ଲାରେ ମଧ୍ୟ ଗ୍ରାମାଂଚଳର ସଂକ୍ରମଣକୁ ଦେଖି ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଉଛି ପ୍ରଶାସନ ।