କନକ ବ୍ୟୁରୋ : ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ କରୋନା ସଂକ୍ରମଣର ନୂଆ ପରିସଂଖ୍ୟାନ ଚିନ୍ତା ବଢାଇ ଦେଇଛି । ମାତ୍ର ୪ ଦିନରେ ସଂକ୍ରମଣ ୯୭ ପ୍ରତିଶତ ବୃଦ୍ଧି ପାଇଛି । ଆପଣ ଯଦି ଭାବୁଥିବେ ଏହା ପଛରେ ନିର୍ଦ୍ଦିଷ୍ଟ କ’ଣ କାରଣ ରହିଛି, ଓମିକ୍ରନ ଏଥିପାଇଁ କେତେ ପରିମାଣରେ ଦାୟୀ, ତାର କୌଣସି ସଠିକ୍ ତଥ୍ୟ ହୁଏତ ଆପଣଙ୍କୁ ମିଳିନପାରେ । କାରଣ ରାଜ୍ୟରେ ଜେନମ୍ ସିକ୍ୟୁଏନ୍ସିଂ ପରିମାଣ ଯଥେଷ୍ଟ କମ୍ । ଫଳରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ମଧ୍ୟରୁ କେତେ ଜଣ କେଉଁ ପ୍ରଜାତିରେ ଆକ୍ରାନ୍ତ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । ହେଲେ ବଢୁଥିବା ସଂଖ୍ୟା ଦେଖି ଅନୁମାନ କରାଯାଉଛି, ରାଜ୍ୟରେ ଓମିକ୍ରନ ସକ୍ରିୟ ହେବାରେ ଲାଗିଛି ।

Advertisment

ଦୁଇ ସପ୍ତାହ ପରେ ରାଜ୍ୟରେ ୨ଶହ ଟପିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ପାଖାପାଖି ୪୨ ପ୍ରତିଶତ ବୃଦ୍ଧି । କରୋନାର ନୂଆ ପ୍ରଜାତି ଓମିକ୍ରନ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ବଢୁଥିବା ବେଳେ ଦେଶର ଓ ରାଜ୍ୟରେ ମଧ୍ୟ କିଛି ଦିନ ହେଲା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଗତ ୪ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ

ଓଡ଼ିଶା କରୋନା ମିଟର
୨୬ ଡିସେମ୍ବର – ୧୧୨
୨୭ ଡିସେମ୍ବର – ୧୨୩
୨୮ ଡିସେମ୍ବର - ୧୫୬
୨୯ ଡିସେମ୍ବର - ୨୨୧

ଡିସେମ୍ବର ୨୬ ତାରିଖରେ ରାଜ୍ୟରେ ମାତ୍ର ୧୧୨ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୯ ତାରିଖରେ ଏହା ୨୨୧ ହୋଇଛି । ଅର୍ଥାତ୍ ମାତ୍ର ୪ ଦିନ ମଧ୍ୟରେ ୯୭ ପ୍ରତିଶତ ସଂକ୍ରମଣ ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଏହା ୪୧.୬ ପ୍ରତିଶତ ବୃଦ୍ଧି ପାଇଛି ।

ରାଜ୍ୟରେ ସକ୍ରିୟ ସଂକ୍ରମଣ ୧୫୯୩ । ଖୋର୍ଦ୍ଧାରେ ୭୧୮ ସକ୍ରିୟ ସଂକ୍ରମଣ । ନଜର ପକାନ୍ତୁ ଓଡ଼ିଶାର କରୋନା ମ୍ୟାପ ଉପରେ । କନ୍ଧମାଳରେ କେହି ସଂକ୍ରମିତ ନାହାନ୍ତି । ସବୁଠୁ ଅଧିକ ସକ୍ରିୟ ସଂକ୍ରମଣ ରହିଛନ୍ତି ଖୋର୍ଦ୍ଧାରେ । ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମଣ ୭୧୮, କଟକରେ ୧୦୪ ଓ ସମ୍ବଲପୁରରେ ରହିଛି ୧୦୨ ସକ୍ରିୟ ସଂକ୍ରମଣ । ସେହିପରି ଖୋର୍ଦ୍ଧାର ଟେଷ୍ଟ ପଜିଟିଭିଟି ରେଟ୍ ୧.୬ ପ୍ରତିଶତ ଥିବା ବେଳେ ସମ୍ବଲପୁରର ସଂକ୍ରମଣ ହାର ୦.୭ ପ୍ରତିଶତ ।

ଓଡ଼ିଶାରେ ପିଲାଙ୍କ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ୨୬ ତାରିଖରେ ମାତ୍ର ୧୭ ଜଣ ୧୮ ବର୍ଷ ବୟସରୁ କମ୍ ପିଲା ସଂକ୍ରମିତ ହୋଇଥିଲେ । ତାହା ୨୯ ତାରିଖରେ ୩୪ରେ ପହଞ୍ଚିଛି । ଅର୍ଥାତ୍ ୪ ଦିନରେ ଦୁଇ ଗୁଣ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୭୦ ପ୍ରତିଶତ ବଢ଼ିଛି ପିଲାଙ୍କ ଦୈନିକ ସଂକ୍ରମଣ ।

ଓଡ଼ିଶା କରୋନା ମିଟର (୦-୧୮ ବର୍ଷ)
୨୬ ଡିସେମ୍ବର – ୧୭
୨୭ ଡିସେମ୍ବର – ୧୭
୨୮ ଡିସେମ୍ବର - ୨୦
୨୯ ଡିସେମ୍ବର – ୩୪

ସେପଟେ ଗତ ୨୪ ଘଣ୍ଟାରେ ସାରାଦେଶରେ ୯ ହଜାର ୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଦେଶରେ ଗୋଟିଏ ଦିନରେ ପ୍ରାୟ ୪୪ ପ୍ରତିଶତ ବଢିଛି କରୋନା ମାମଲା । ଏହି ସମୟ ମଧ୍ୟରେ ୩୦୨ ଜଣଙ୍କ ମୃତ୍ୟୁ ହୋଇଛି ।