ଦେଶରେ ଦୈନିକ ସଂକ୍ରମଣ ଉପର ମୁହାଁ: ୨୪ଘଂଟାରେ ୨ଲକ୍ଷ ୬୪ ହଜାର ନୂଆ ମାମଲା

87

କନକ ବ୍ୟୁରୋ: ଦେଶରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ମୋଟ୍ ୨ ଲକ୍ଷ ୬୪ ହଜାର ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ତୁଳନାରେ ଦୈନିକ ସଂକ୍ରମଣ ୬.୭ ପ୍ରତିଶତ ବୃଦ୍ଧି ପଇଛି । ସେହିପରି ଗତ ୨୩୯ ଦିନରେ ଏହା ସର୍ବାଧିକ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଦୈନିକ ସଂକ୍ରମଣ ହାର ୧୪ ଦଶମିକ ୭୮ ପ୍ରତିଶତକୁ ବୃଦ୍ଧି ପାଇବା ସହ ସୁସ୍ଥ ହାର ୯୫ ଦଶମିକ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଗତ ୨୪ ଘଂଟାରେ ୧ ଲକ୍ଷ ୯ ହଜାର ୩୪୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ତେଣୁ ବର୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୨ ହଜାର ୭୩ । ଯାହା ମୋଟ୍ ସଂକ୍ରମଣର ୩.୪୮ ପ୍ରତିଶତ । ଜାନୁଆରୀ ଆରମ୍ଭରୁ କରୋନାର ଲମ୍ବ ଡିଆଁ ଆରମ୍ଭ ହୋଇଥିବାବେଳେ ଗତ ୭-୮ଦିନ ହେଲା ଏହା ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ଦେଖାଯାଉଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ୨୮ ହଜାର ୮୬୭ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା । ପଜିଟିଭ ହାର ୨୯ ଦଶମିକ ୨୧ ପ୍ରତିଶତକୁ ବୃଦ୍ଧି ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଭୟ କରିବାର କିଛି ନାହିଁ । କାରଣ ଦିଲ୍ଲୀରେ କରୋନା ମାମଲା ବଢୁଛି ହେଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁନାହିଁ । ଅର୍ଥାତ ସମସ୍ତ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲର ଆବଶ୍ୟକ ପଡୁନଥିବା ପୁଣିଥରେ ଦୋହରାଇଛନ୍ତି କେଜ୍ରିୱାଲ ।

ଏପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଏ ପର୍ଯ୍ୟନ୍ତ ଦିଲ୍ଲୀରେ କରୋନାରୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଟିକା ନେଇନଥିଲେ । ତେବେ ତଥ୍ୟ ଅନୁସାରେ ଦିଲ୍ଲୀରେ ଜାନୁଆରୀ ୯ରୁ ୧୨ ମଧ୍ୟରେ ୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏମନଙ୍କ ମଧ୍ୟରୁ ୭୦ ଜଣ ଆଦୌ ଟିକା ନେଇନଥିଲେ । ୧୯ ଜଣ କେବଳ ଗୋଟିଏ ଡୋଜ୍ ଟିକା ନେଇଥିବାବେଳେ ୮ଜଣ ଦୁଇଟିଜାକ ଡୋଜ୍ ଟିକା ନେଇ ମୃତ୍ୟୁବରଣ କରିଛନ୍ତି । ଏମନଙ୍କ ଛଡା ଅନ୍ୟ ୭ ଜଣ ଶିଶୁଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ।

କୁହାଯାଉଛି ସାରାଦେଶରେ ଗତବର୍ଷ ମେ ୧୯ ତାରିଖରେ ମୋଟ୍ ୨ ଲକ୍ଷ ୭୬ ହଜାର ୧୧୦ କରୋନା ମାମଲା ଆସିଥିଲା । ୨୩୯ ଦିନ ପରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ସାପ୍ତାହିକ ସଂକ୍ରମଣ ୧୧ ଦଶମିକ ୮୩କୁ ବୃଦ୍ଧି ପାଇଛି । କିନ୍ତୁ ଆଶ୍ୱସ୍ତିର କଥାହେଲା ଦିଲ୍ଲୀ ଭଳି ସାରା ଦେଶରେ କମ୍ ରହିଛି କେସ ଫଆଟାଲିଟି ରେଟ୍ । ଅର୍ଥାତ ଦେଶରେ ମୃତ୍ୟୁ ହାର ରହିଛି ୧ ଦଶମିକ ୩୩ ପ୍ରତିଶତ । କାରଣ ସାରାଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୮ଲକ୍ଷ ୨୪ ହଜାର ୭୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍ ୪ ଲକ୍ଷ ୮୫ ହଜାର ୩୫୦ ଜଣଙ୍କ ମୃତ୍ୟୁ ହେଲାଣି ।