କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ଏହି ଦ୍ରୁତ ସଂକ୍ରମଣ ପଛରେ ଓମିକ୍ରନ ରହିଥିବା ନେଇ ସନ୍ଦେହ ବଢୁଛି । ଡେଲଟାର ସ୍ଥାନ ନୂଆ ପ୍ରଜାତି ନେଇଛି ବୋଲି ଆଶଙ୍କା କରାଯାଉଛି । ସେପଟେ ଦେଶରେ ମଧ୍ୟ ସଂକ୍ରମଣ ହାର ବଢୁଥିବା ବେଳେ ତୃତୀୟ ଦିନରେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣର ନିମ୍ନଗତି ଦେଖିବାକୁ ମିଳୁଛି । ଅନୁମାନ କରାଯାଉଛି ଏସବୁ ସ୍ଥାନରେ ପିକ୍ ଛୁଇଁ ସଂକ୍ରମଣ ତଳମୁହାଁ ହୋଇଛି ।

Advertisment

ଓଡ଼ିଶା କରୋନା ମିଟର
ତାରିଖ                                   ପରୀକ୍ଷା                               ସଂକ୍ରମଣ
ଜାନୁଆରୀ ୧୬                     ୭୭, ୧୨୦                         ୧୧, ୧୭୭
ଜାନୁଆରୀ ୧୫                     ୭୪, ୯୩୬                         ୧୦, ୮୫୬
ଜନୁଆରୀ ୧୪                      ୭୫, ୭୩୧                         ୧୦, ୨୭୩
ଜାନୁଆରୀ ୧୩                     ୮୧, ୦୬୫                         ୧୦, ୦୫୯
ଜାନୁଆରୀ ୧୨                     ୭୪, ୬୧୧                          ୮, ୭୭୮
ଜନୁଆରୀ ୧୧                     ୬୯, ୦୧୮                           ୭, ୦୭୧
ଜାନୁଆରୀ ୧୦                     ୭୪, ୩୦୪                          ୪, ୮୨୯

ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୪ ଦିନ ହେଲା ୧୦ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଜାନୁଆରୀ ୧୦ ତାରିଖରୁ ଲମ୍ବଡିଆଁ ମାରୁଛି ଦୈନିକ ସଂକ୍ରମଣ । କେବଳ ଜାନୁଆରୀ ମାସର ୧୬ ଦିନରେ ୭୯ ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୨୪ ଘଂଟାରେ ୧୧ ହଜାର ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ମୁହାଁ ହୋଇଛି । ଶନିବାର ତୁଳନାରେ ୩୨୧ ମାମଲା ବୃଦ୍ଧି ପାଇଛି । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୭୬୩ ରହିଛି । ସକ୍ରିୟ ଆକ୍ରାନ୍ତ ଦୃଷ୍ଟିରୁ ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ରେଡ ଜୋନରେ ରହିଛି ।

ରାଜ୍ୟରେ ଜାନୁଆରୀ ଆରମ୍ଭରୁ ଅତି ଦ୍ରୁତ ବେଗରେ ମାଡି ଚାଲିଛି କରୋନା । ଏହା ପଛରେ ଓମିକ୍ରନ୍ ଭୂତାଣୁ ଥିବା ସନ୍ଦେହ ଭିତରେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସର ଏହି ତଥ୍ୟ ସନ୍ଦେହକୁ ଆହୁରି ବଳ ଯୋଗାଉଛି ।

ଓଡ଼ିଶାରେ ମାଡି ଗଲାଣି ଓମିକ୍ରନ୍ ! ଡେଲଟାର ସ୍ଥାନ ନେଇଛି ନୂଆ ପ୍ରଜାତି ! ରାଜ୍ୟରେ ଓମିକ୍ରନ୍ ଭୂତାଣୁ ପ୍ରଭାବ ବିସ୍ତାର କରିଥିବା ନେଇ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କାରଣ ଶନିବାର ଜିନୋମ ଅନୁଶୀଳନ କରାଯାଇଥିବା ନମୂନାରୁ ୭୫ ପ୍ରତିଶତ ଓମିକ୍ରନ୍ ଚିହ୍ନଟ ହୋଇଛି । ୪୨ଟି ନମୂନାର ଜିନୋମ ସିକ୍ୱେନ୍ସିଂରୁ ୩୨ଟି ଓମିକ୍ରନ୍ ଚିହ୍ନଟ ହେବା ପରେ ବିଶେଷଜ୍ଞ ଆକଳନ କରୁଛନ୍ତି ଯେ, ରାଜ୍ୟରେ ଡେଲଟାର ସ୍ଥାନ ନେଇ ସାରିଛି ଓମିକ୍ରନ୍ ।

ଜିନୋମ ଅନୁଶୀଳନ ପାଇଁ ଆଇଏଲଏସ ଆସିଥିଲା ନମୁନା
- ସମ୍ବଲପୁର ଭିମସାର ଓ ଭୁବନେଶ୍ୱର ନାଇଜର ସହ କିଛି ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ନମୂନା ଆସିଥିଲା ଆଇଏଲଏସ
- ସମ୍ବଲପୁର ଭିମସାରରୁ ଆସିଥିବା ୧୮ଟି ନମୁନାରୁ ୧୫ଟି ଓମିକ୍ରନ୍ ଚିହ୍ନଟ
- ଭୁବନେଶ୍ୱର ନାଇଜରରୁ ଆସିଥିବା ୯ଟି ନମୁନାରୁ ୬ଟି ଚିହ୍ନଟ ହୋଇଛି ଓମିକ୍ରନ୍
- ବିଶେଷତଃ ଗୋଟିଏ କ୍ଲଷ୍ଟରରୁ ସଂଗ୍ରହ ହେଉଥିବା ନମୁନାରୁ ଓମିକ୍ରନ୍ ଭୂତାଣୁ ମିଳୁଛି

ସେପଟେ ଦେଶରେ ମଧ୍ୟ ଉପରମୁହାଁ ରହିଛି କରୋନା ମିଟର । ଦିନକ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଶନିବାର ତୁଳନାରେ ୨୮ ଦଶମିକ ୧୭ ପ୍ରତିଶତ ଅଧିକ । ଦେଶରେ ୧୫ ଲକ୍ଷ ୫୦ ହଜାର ୩୭୭ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଦୈନିକ ସଂକ୍ରମଣ ହାର ୧୬ ଦଶମିକ ୨୮ ପ୍ରତିଶତ ଓ ସାପ୍ତାହିକ ସଂକ୍ରମଣ ହାର ୧୩ ଦଶମିକ ୬୯ ପ୍ରତିଶତ ହୋଇଛି । ଏପଟେ କିନ୍ତୁ ଲଗାତର ତୃତୀୟ ଦିନ ପାଇଁ ମୁମ୍ବାଇ ସହରରେ ତଳମୁହାଁ ହୋଇଛି କରୋନା । ମହାରାଷ୍ଟ୍ରରେ ମଧ୍ୟ ଏହି ନିମ୍ନଗତି ଦେଖିବାକୁ ମିଳିଛି । ଦିଲ୍ଲୀରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଦିଲ୍ଲୀ ସ୍ୱସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦାବି କରିଛନ୍ତି ଯେ, ରାଜଧାନୀରେ କରୋନା ଏହାର ଶୀର୍ଷ ଛୁଇଁସାରିଛି ଓ ଧିରେ ଧିରେ ସଂକ୍ରମଣ ତଳକୁ ଖସିବା ଆରମ୍ଭ କଲାଣି । ତେଣୁ ଖୁବଶୀଘ୍ର କରୋନାର ତୃତୀୟ ଲହରରୁ ମୁକ୍ତି ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।