ରାଜ୍ୟରେ ଶିକ୍ଷାନୁଷ୍ଠାନରେ ମାଡୁଛି ମହାମାରୀ କରୋନା । ଖୋର୍ଦ୍ଧା ଆଇଆଇଟିରୁ ଚିହ୍ନଟ ହେଲେ ଆଉ ଦୁଇ ନୂଆ ପଜିଟିଭ୍ । ସେପଟେ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ବିଏମସି ।

169

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଆଇଆଇଟିରେ ଆଉ ଦୁଇଟି ନୂଆ ମାମଲା ସାମନାକୁ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଁଚିଛି । ୨୨ ତାରିଖରେ ୮ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରି ୪୫ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା, ସେଥିମଧ୍ୟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଛାତ୍ର ଏବେ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ରହିଛନ୍ତି ।

କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ରାଜ୍ୟର କିଛି ଶିକ୍ଷାନୁଷ୍ଠାନ ଏବେ କରୋନାର ନୂଆ ଠିକଣା ପାଲଟି ଯାଇଛନ୍ତି । ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆସୁଥିବାରୁ ଅଧିକ ସଂବେଦନଶୀଳ ହୋଇପଡିଛି ପ୍ରମୁଖ ଶିକ୍ଷାନୁଷ୍ଠାନ । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଚିନ୍ତା ବଢ଼ିଯାଇଛି ।

ଭୁବନେଶ୍ୱର ମୈତ୍ରୀବିହାରରେ ଥିବା ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ବିଏମସି । ପ୍ରଥମ ପର୍ଯ୍ୟାୟରେ ୪ଟି ହଷ୍ଟେଲରୁ ୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ସମସ୍ତଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଛି । ରିପୋର୍ଟ ଆସିବା ପରେ କେତେଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ିବ । ସମସ୍ତ ସଂକ୍ରମିତଙ୍କୁ ପୃଥକ ପୃଥକ ଆଇସୋଲେସନରେ ରଖାଯାଇଥିବା ବେଳେ ବିଏମସିର ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇନଷ୍ଟିଚ୍ୟୁଟ ବନ୍ଦ ରହିବ ।

ସେପଟେ ରାଉରକେଲା ନିଟରେ ଆଉ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ନିଟ କ୍ୟାମ୍ପସ ପରିସରରେ ସଙ୍ଗରୋଧରେ ରଖାଯାଇଛି । ତେବେ କ୍ୟାମ୍ପସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ଭୟ ଘାରିଛି । ତେବେ ଗତ ୨୪ ଘଂଟାରେ ରାଜ୍ୟରୁ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ସେଠାରୁ ଦିନକରେ ୭୧ ମାମଲା ସାମନାକୁ ଆସିଛି । ସେହିପରି ନୂଆପଡ଼ାରେ ୪୦, ଝାରସୁଗୁଡ଼ାରେ ୨୧, ସୁନ୍ଦରଗଡ଼ରେ ୧୪, ବରଗଡ଼ରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି କଟକରେ ୧୬ ଓ ସମ୍ବଲପୁରରେ ୧୧ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।

ସେପଟେ ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦିନକରେ ୬୨ ହଜାର ୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ କରୋନାରେ ମୃତ୍ୟୁବରଣ କରିଛି ୩୧୨ ଜଣ । ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୭୨୬ । ଯାହାଫଳରେ ଆଜିଠୁ ଆରମ୍ଭ ହେଉଛି ପୂରା ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ।