କନକ ବ୍ୟୁରୋ: କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ ଭୟ ବଢ଼ୁଛି । କେବେ କରୋନା କମିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ପ୍ରତିକ୍ରିୟା ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତିି, ମେ ମାସରେ ଶୀର୍ଷରେ ପହଁଚିବ ସଂକ୍ରମଣ । ହେଲେ ଏପଟେ ମାତ୍ର ୨୦ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ୧୨ଗୁଣରୁ ଅଧିକ ହେଲାଣି । ମାସ ଆରମ୍ଭରେ ଦୈନିକ ସଂକ୍ରମଣ ସଂଖ୍ୟା ୪ଶହ ତଳେ ଥିବାବେଳେ ଏବେ ପାଂଚ ହଜାର ପାଖାପାଖି ହୋଇଛି ।
କରୋନାର ଏହି ଟ୍ରେଣ୍ଡ ସମସ୍ତଙ୍କ ଚିନ୍ତା ବଢ଼ାଇବା ସହ କେବେ କମିବ ତାହା ଆଶଙ୍କାରେ ପକାଇଛି । ଏଭଳି ସମୟରେ ବଡ ଆକଳନ କରିଛନ୍ତି ରାଜ୍ୟ ସରକାର । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡିଶାରେ ଶୀର୍ଷରେ ପହଁଚିପାରେ । ଅର୍ଥାତ ମେ ପରେ ରାଜ୍ୟରେ କମିପାରେ କରୋନା ସଂକ୍ରମଣ ।
ଓଡିଶାରେ ମେ ମାସ ଆରମ୍ଭରେ କରୋନା ଶୀର୍ଷରେ ପହଁଚିବ ବୋଲି ପୂର୍ବରୁ ଆକଳନ କରିଥିଲେ ଭୁବନେଶ୍ୱର ଆଇଆଇଟି, ଦିଲ୍ଲୀ ଆଇସିଏମଆର, ଆମେରିକା ହପକିନ ଭଳି ସଂସ୍ଥା । ଏହି ସବୁ ସଂସ୍ଥାର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଗାଣିତିକ ମଡେଲ ଅନୁସାରେ ଏହି ଆକଳନ କରିଥିଲେ ।
Follow Us