କେବେ ସରିବ କରୋନାର ଦ୍ୱିତୀୟ ଲହର । ଡିିଏମଇଟି ନିର୍ଦ୍ଦେଶକ କହିଲେ, ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶୀର୍ଷ ଛୁଇଁପାରେ କରୋନା ।

245

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ ଭୟ ବଢ଼ୁଛି । କେବେ କରୋନା କମିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ପ୍ରତିକ୍ରିୟା ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତିି, ମେ ମାସରେ ଶୀର୍ଷରେ ପହଁଚିବ ସଂକ୍ରମଣ । ହେଲେ ଏପଟେ ମାତ୍ର ୨୦ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ୧୨ଗୁଣରୁ ଅଧିକ ହେଲାଣି । ମାସ ଆରମ୍ଭରେ ଦୈନିକ ସଂକ୍ରମଣ ସଂଖ୍ୟା ୪ଶହ ତଳେ ଥିବାବେଳେ ଏବେ ପାଂଚ ହଜାର ପାଖାପାଖି ହୋଇଛି ।

କରୋନାର ଏହି ଟ୍ରେଣ୍ଡ ସମସ୍ତଙ୍କ ଚିନ୍ତା ବଢ଼ାଇବା ସହ କେବେ କମିବ ତାହା ଆଶଙ୍କାରେ ପକାଇଛି । ଏଭଳି ସମୟରେ ବଡ ଆକଳନ କରିଛନ୍ତି ରାଜ୍ୟ ସରକାର । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡିଶାରେ ଶୀର୍ଷରେ ପହଁଚିପାରେ । ଅର୍ଥାତ ମେ ପରେ ରାଜ୍ୟରେ କମିପାରେ କରୋନା ସଂକ୍ରମଣ ।

ଓଡିଶାରେ ମେ ମାସରେ ସଂକ୍ରମଣ ଶୀର୍ଷରେ ପହଁଚିବ ଏହାକୁ ନେଇ ଆକଳନ ଭିତରେ ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ଚିକିିତ୍ସକ ଡାକ୍ତର ମନୋଜ ସାହୁ । ତାଙ୍କ କହିବା ଅନୁସାରେ ସଂକ୍ରମଣ କେବେ କମିବ ତାହା କହି ହେବ ନାହିଁ । ଯେବେ ସଂଖ୍ୟା କମିବା ଆରମ୍ଭ କରିବ ସେବେ ଜଣାପଡିବ । କାରଣ ଭୂତାଣୁ ତାର ରୂପ ବଦଳାଇ ଅଧିକରୁ ଅଧିକ ସଂକ୍ରମିତ କରିବାକୁ ପ୍ରୟାସ ଜାରି ରଖିବ । ତେବେ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବା ଓ ଚିକିତ୍ସା କରିବା ଦ୍ୱାରା ସଂକ୍ରମଣକୁ ରୋକା ଯାଇ ପାରିବ ।

ଓଡିଶାରେ ମେ ମାସ ଆରମ୍ଭରେ କରୋନା ଶୀର୍ଷରେ ପହଁଚିବ ବୋଲି ପୂର୍ବରୁ ଆକଳନ କରିଥିଲେ ଭୁବନେଶ୍ୱର ଆଇଆଇଟି, ଦିଲ୍ଲୀ ଆଇସିଏମଆର, ଆମେରିକା ହପକିନ ଭଳି ସଂସ୍ଥା । ଏହି ସବୁ ସଂସ୍ଥାର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଗାଣିତିକ ମଡେଲ ଅନୁସାରେ ଏହି ଆକଳନ କରିଥିଲେ ।