କନକ ବ୍ୟୁରୋ : ଚିନ୍ତା ବଢାଇଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦେଶରେ କରୋନା ମାମଲା ବଢୁଛି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି ଉଦବେଗଜନକ ନାହିଁ ।

Advertisment

ଗତ ୨୪ ଘଂଟାରେ ଓଡିଶାରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଂଚିଛି । ସବୁ ଆକ୍ରାନ୍ତଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖା ଦେଇଛି । କେହି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି । ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ କରୋନା ସଂକ୍ରମଣକୁ ନେଇ ଆତଙ୍କିତ ନହେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ କରୋନା ଲକ୍ଷଣ ଦେଖା ଦେଲେ ସଙ୍ଗରୋଧରେ ରହି ତୁରନ୍ତ ଟେଷ୍ଟ କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

ରାଜ୍ୟର ପ୍ରଥମ ଦୁଇ କରୋନା ରୋଗୀ କଟକ ଅଂଚଳର । ତୃତୀୟ ରୋଗୀ ସୋମବାର ଚିହ୍ନଟ ହୋଇଛନ୍ତି । କୋଭିଡ ପ୍ରଟୋକଲ ଅନୁସାରେ କେସ ଷ୍ଟଡି କରାଯାଉଛି । ପ୍ରଥମ ୨ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କର ଯାଂଚ ଚାଲିଛି, ଟ୍ରାଭେଲ ହିଷ୍ଟ୍ରି ଓ କଂଟାକ୍ଟ ଟ୍ରେସିଂ କରୁଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ୩ ଜଣଙ୍କ ନମୂନାକୁ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି । ଆଗକୁ ଆହୁରି ସର୍ଭିଲାନ୍ସ ବଢାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ଦେଶରେ ଗତ ୨୪ ଘଂଟାରେ ୪୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୧୭୦ ହୋଇଛି । ସେମାନଙ୍କ ମଧ୍ୟରୁ ୬୯ ଜଣ ଜଏନ୍ ଡଟ୍ ୱାନ୍ ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳରେ ସଂକ୍ରମଣ ବଢିବାରେ ଲାଗିଛି । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ଆଶଙ୍କା ରହିଛି ।